୨୦୨୪ ନିର୍ବାଚନ ଜିତି ପିପିଲି ମହାରଥୀ ହେବାକୁ ପ୍ରସ୍ତୁତ ତିନି ଦଳର ଯୋଦ୍ଧା ରୁଦ୍ର- ଆଶ୍ରିତ- ଜ୍ଞାନ

ପ୍ରଚାରଠୁ ଆରମ୍ଭ କରି ଫଳାଫଳ । ପ୍ରତି ନିର୍ବାଚନରେ ରାଜ୍ୟ ରାଜନୀତିକୁ ସରଗରମ କରିଥାଏ ପିପିଲି ଫାଇଟ୍ । ଏଥର ମଧ୍ୟ ସମାନ ସିଚୁଏସନ । କିଏ ଜିତିବ, କିଏ ହାରିବ? ବିଜେଡିର ଗଡ଼ ରହିବ ନା ଭାଙ୍ଗିବ? ତୃତୀୟ ପର୍ଯ୍ୟାୟରେ, ମେ ୨୫ରେ ରହିଛି ପିପିଲି ଭୋଟିଂ।

ପିପିଲି(କେନ୍ୟୁଜ) : ବଢୁଛି ପିପିଲି ପାରା । ପ୍ରଚାରରେ କମ୍ପୁଛି ଗଳି କନ୍ଦି ପିପିଲି ନିର୍ବାଚନମଣ୍ଡଳୀ । ମହାରଥୀ ପରିବାରର ଗଡ଼। ସ୍ୱର୍ଗତ ପ୍ରଦୀପ ମହାରଥୀ ଏଠାରୁ ୭ ଥରର ବିଧାୟକ। ୧୯୮୫ରୁ ୧୯୯୫ ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ଏହା ପରେ ୨୦୦୦ ମସିହାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଅର୍ଥାତ ୨୦୨୦ ଯାଏ ବିଜେଡିରୁ ଥିଲେ ବିଧାୟକ। ଦୀର୍ଘ ୩ ଦଶନ୍ଧି ଧରି ଏଠାରେ ନିଜର ପତିଆରା ବିସ୍ତାର କରି ରଖିଥିଲେ ବିଜେଡିର ଏହି ଟାଣୁଆ ନେତା ।

ପ୍ରତି ନିର୍ବାଚନରେ ପିପିଲି ପାରା ବଢାଏ ପ୍ରଦୀପ- ଯୁଧିଷ୍ଠିର ଫାଇଟ୍ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ହରାଇ ବିଜୟୀ ହୋଇଥିଲେ ପ୍ରଦୀପ ମହାରଥୀ । ୨୦୧୪ ନିର୍ବାଚନରେ ମଧ୍ୟ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପ୍ରଦୀପ – ଯୁଧିଷ୍ଠିର । ତେବେ ଯୁଧିଷ୍ଠିରଙ୍କୁ ୩୩ ହଜାର ୪୭୪ ଖଣ୍ଡ ଭୋଟରେ ହରାଇ ପିପିଲି ମହାରାଜା ପାଲଟିଥିଲେ ମହାରଥୀ । ସେପଟେ ୧୮ ହଜାର ଭୋଟ ପାଇ ତୃତୀୟରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

୨୦୧୯ ବେଳରୁ ବଦଳିଗଲା ରାଜନୈତିକ ଦୃଶ୍ୟ ପଟ। ରେସରୁ ଓହରିଗଲେ ଯୁଧିଷ୍ଠିର। ପ୍ରଦୀପଙ୍କ ପ୍ରତିଦ୍ୱନ୍ଦୀ ପାଲଟିଗଲେ ବିଜେପିର ଆଶ୍ରିତ ପଟ୍ଟନାୟକ। ପ୍ରତିଥର ବିଜେଡି-କଂଗ୍ରେସ ଫାଇଟ ଦେଖୁଥିବା ପିପିଲିରେ ଏଥର ହୋଇଥିଲା ବିଜେଡି- ବିଜେପି ଟକ୍କର । ୧୫ ହଜାର ୭୮୭ ଭୋଟରେ ଆଶ୍ରିତଙ୍କୁ ହରାଇଥିଲେ ପ୍ରଦୀପ । ମାତ୍ର ୯ ହଜାର ୮୩୦ ଖଣ୍ଡ ଭୋଟ ପାଇ ନିଜ ଗଡରେ ହି ଧରାସାୟୀ ହୋଇଥିଲା କଂଗ୍ରେସ ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ୨୦୨୧ ରେ ହୋଇଥିଲା ଉପନିର୍ବାଚନ । ପ୍ରଥମ ଥର ପାଇଁ ନିର୍ବାଚନୀ ରଣାଙ୍ଗନାକୁ ଓହ୍ଲାଇଥିଲେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ତାଙ୍କୁ ଟକ୍କର ଦେଇଥିଲେ ବିଜେପିରୁ ଆଶ୍ରିତ ପଟ୍ଟନାୟକ । ଆଶ୍ରିତଙ୍କୁ ୨୦ ହଜାର ୯୧୬ ଖଣ୍ଡ ଭୋଟରେ ହରାଇଥିଲେ ରୁଦ୍ର । ଏବେ ପୁଣି ଥରେ ପିପିଲି ଫାଇଟ ପାଇଁ ବିଜେଡିରୁ ଓହ୍ଲାଇଛନ୍ତି ରୁଦ୍ର । ପ୍ରଥମ ଥର ସାଧାରଣ ନିର୍ବାଚନ ଲଢୁଛନ୍ତି ।

pipili pic

ପ୍ରଚାରକୁ ଜୋରଦାର କରିଛନ୍ତି । ପିପିଲି ଏବଂ ଡ଼େଲାଙ୍ଗରେ ବିଜେଡିର ବିକାଶ ପେଡ଼ି ନେଇ ଲୋକଙ୍କ ନିକଟତର ହେଉଛନ୍ତି । ବାପାଙ୍କ ଲିଗାସୀକୁ ଆଗକୁ ନେବାକୁ ମାରାଥନ ପ୍ରଚାର କରୁଛନ୍ତି । ବିଜୟୀ ହେବାକୁ ସମସ୍ତ ଶକ୍ତି ଲଗାଇଦେଇଛନ୍ତି ରୁଦ୍ର । ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ ପାଇଁ ଅପିଲ କରିଛନ୍ତି । ୨୦୦୦ ନିର୍ବାଚନରୁ ଲଗାତାର ଜିତି ଆସୁଥିବା ଏହି ଆସନକୁ ଏଥର ମଧ୍ୟ ଦଖଲ ଲକ୍ଷ୍ୟରେ ବିଜେଡି ।

ସେପଟେ ପୁଣି ଆଶ୍ରିତଙ୍କ ଆଶାରେ ବିଜେପି । ବିଜେଡି ହାତରୁ ପିପିଲି ଛଡାଇନେବାକୁ ଲାଗି ପଡିଛି ଦଳ । ଘନ ଘନ ପ୍ରଚାର ସହ ଭୋଟରଙ୍କୁ ଭେଟୁଛନ୍ତି ଆଶ୍ରିତ ପଟ୍ଟନାୟକ। ଘରକୁ ଘର ବୁଲି ଭୋଟ ପାଇଁ ଅପିଲ କରୁଛନ୍ତି । ସବୁ ବର୍ଗର ଲୋକଙ୍କ ନିକଟକୁ ଯାଉଛନ୍ତି । ବିଜେଡ଼ି ଏବଂ କଂଗ୍ରେସର ଅସନ୍ତୁଷ୍ଟଙ୍କୁ ଏକାଠି କରୁଛନ୍ତି । କଳେ ବଳେ କୌଶଳେ ଭୋଟ ବ୍ୟାଙ୍କକୁ ବଢାଇବାରେ ଲାଗି ପଡିଛି ଦଳ । ରୋଡ଼ ସୋ କରୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଏବଂ କେନ୍ଦ୍ରୀୟ ନେତା। ଗତ ୧୭ ତାରିଖରେ ଦଳୀୟ ଆଶ୍ରିତଙ୍କ ପାଇଁ ପ୍ରଚାର କରିଥିଲେ ଡ୍ରିମ ଗର୍ଲ ହେମାମାଳିନୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଅନ୍ୟପଟେ ନୂଆ ପ୍ରାର୍ଥୀଙ୍କୁ ପିପିଲି ଫାଇଟ୍ ପାଇଁ ଓହ୍ଲାଇଛି କଂଗ୍ରେସ । ପିସିସି ସଭ୍ୟ ଜ୍ଞାନ ରଞ୍ଜନ ପଟ୍ଟନାୟକ କଂଗ୍ରେସ ବ୍ୟାନରରୁ ଲଢୁଛନ୍ତି । ଦଳର ଅସନ୍ତୁଷ୍ଟ ଏବଂ ପୁରୋଖା ନେତା, କର୍ମୀମାନଙ୍କୁ ଏକାଠି କରୁଛନ୍ତି । କୌଣସି ଷ୍ଟାର ପ୍ରଚାରକ ନାହାନ୍ତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ନିଜର ଉଦ୍ୟମ ଆରମ୍ଭ କରିଛନ୍ତି । ବ୍ଳକ ସଭାପତିକୁ ନେଇ ଭୋଟ ଭିକ୍ଷା  କରୁଛନ୍ତି । ପ୍ରଚାରଠୁ ଆରମ୍ଭ କରି ଫଳାଫଳ । ପ୍ରତି ନିର୍ବାଚନରେ ରାଜ୍ୟରାଜନୀତିକୁ ସରଗରମ କରିଥାଏ ପିପିଲି ଫାଇଟ୍ । ଏଥର ମଧ୍ୟ ସମାନ ସିଚୁଏସନ । କିଏ ଜିତିବ, କିଏ ହାରିବ? ବିଜେଡିର ଗଡ଼ ରହିବ ନା ଭାଙ୍ଗିବ? ତୃତୀୟ ପର୍ଯ୍ୟାୟରେ, ମେ ୨୫ରେ ରହିଛି ପିପିଲି ଭୋଟିଂ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.