ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ ।  ଜଳଲାଗି ପରେ ଦୁର୍ଲଭ ହାତୀବେଶରେ ମହାପ୍ରଭୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।  ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଅଣସର ଘରେ ୧୫ ଦିନ ଧରି ରହିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ଏଥିପାଇଁ ଚିତ୍ରକାର ସାହିରେ ଚିତ୍ରକରଙ୍କ ଦ୍ୱାରା ପଟିଦିଅଁ ପ୍ରସ୍ତୁତି ଚାଲିଛି । ସୂତା କପଡ଼ାରେ ଖଡିଗୁଣ୍ଡ, ଅଠା ମିଶ୍ରିତ ମଣ୍ଡ ଲେପନ କରି ପଟି ପ୍ରସ୍ତୁତ ହୁଏ । ଖରାରେ ଶୁଖାଯିବା ପରେ ମସୃଣ ପଥରରେ ପଟିକୁ ଘଷାଯାଏ । ପାରମ୍ପରିକ ରୀତିରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ଷଡ଼େଇରେ ପ୍ରସ୍ତୁତ ନାଲି, ହଳଦିଆ, ଧଳା ଓ କଳାରଙ୍ଗରେ ଚିତ୍ର ଅଙ୍କନ କରାଯାଏ । ଏହାପୂର୍ବରୁ ଆଜି ଶ୍ରୀମନ୍ଦିରରେ ହୋଇଛି ଗୋପନ ନୀତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ସେନାପଟା ଲାଗି ନୀତି ଓ ଚାରମାଳ ବନ୍ଧା କାର୍ଯ୍ୟ ଶେଷ ହୋଇଛି ।

ସ୍ନାନଯାତ୍ରା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ୩ ଏସପି, ୯ ଅତିରିକ୍ତ ଏସପି, ୧୬ ଜଣ ଡିଏସପିଙ୍କ ସମେତ ୪୨ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ହାତୀ ବେଶ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ କଡା ଟ୍ରାଫିକ୍‌ ବ୍ୟବସ୍ଥା ସହ ସ୍ୱତନ୍ତ୍ର ପାର୍କିଂର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସ୍ନାନପୁର୍ଣ୍ଣିମା ଅବସରରେ ୩ ରଥର ୪ ନାହାକ ଟେକାଯିବାର ପରମ୍ପରା ରହିଛି । ଏଥିପାଇଁ ରଥଖଳାରେ ବିଶ୍ୱକର୍ମାମାନେ ରଥ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.