ଜନଧନ ଖାତାଧାରକଙ୍କ ପାଇଁ ଖୁସିଖବର। ଜୁନ୍ ପରେ ବି ମହିଳାଙ୍କ ଖାତାରେ ୫୦୦ ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ମାସରେ ମହିଳାଙ୍କ ଜନଧନ ଆକାଉଣ୍ଟରେ ତିନି ମାସ ଯାଏଁ ୫୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବାକୁ ଘୋଷଣା କରିଥିଲେ। ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୧୫୦୦ ଟଙ୍କା ମଧ୍ୟ ଆସିଛି। ଆକାଉଣ୍ଟଧାରୀମାନେ ଚିନ୍ତା କରୁଥିଲେ ଯେ ଆଗକୁ ଆଉ ଟଙ୍କା ମିଳିନପାରେ। କିନ୍ତୁ ସଦ୍ୟତମ ସୂଚନା ମୁତାବକ ଜୁନ୍ ପରେ ବି ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।
ଏକ ରିପୋର୍ଟ ମୁତାବକ କେନ୍ଦ୍ର ସରକାରଙ୍କ କିଛି ଅଧିକାରୀ ଚାହୁଁଛନ୍ତି ଯେ ଜୁନ୍ ପରେ ବି ଲୋକଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯାଉ। କାରଣ ଲକଡାଉନ୍ ଯୋଗୁ କାମ ବନ୍ଦ ଥିବାରୁ ଲୋକଙ୍କ ନିକଟରେ ଖାଇବାକୁ ବି ପଇସା ନାହିଁ। ଏହି ଅର୍ଥ ତାଙ୍କ ପ୍ରତିପୋଷଣରେ ସହାୟକ ହେବ। ସରକାର ମଧ୍ୟ ଏହି ବିଷୟରେ ଚିନ୍ତା କରୁଥିବା ଜଣାଯାଇଛି। ତେବେ ଜୁନ୍ ପରେ ମହିଳାଙ୍କୁ ଟଙ୍କା ମିଳିବ କି ନାହିଁ ସେ ନେଇ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ ନେବ।
ସୂଚନାଯୋଗ୍ୟ ଯେ ଦେଶରେ ପ୍ରାୟ ୩୮ କୋଟି ଲୋକଙ୍କର ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ୫୩ ପ୍ରତିଶତ ଖାତା ମହିଳାଙ୍କର। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାର ଯେଉଁସବୁ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରୁଛନ୍ତି ସେଥିମଧ୍ୟରୁ ୫୦ ପ୍ରତିଶତ ଗତ ଦୁଇ ମାସରେ ଖାତାରୁ ଟଙ୍କା ଉଠାଇନାହାନ୍ତି। ପ୍ରକାଶ ଯେ, ସରକାର ଜୁନ୍ ୫ରୁ ମହିଳାଙ୍କ ଖାତାରେ ଟଙ୍କା ଜମା କରିବା ଆରମ୍ଭ କରିଛନ୍ତି।