ଏୟାର ଇଣ୍ଡିଆ ହେବ କି ଟାଟା ଏୟାର ଇଣ୍ଡିଆ ? କ୍ଷତିରେ ଚାଲୁଥିବା ସଂସ୍ଥାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି ଟାଟା

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବ ଟାଟା । ୬୭ ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆକୁ ନିଜ ଅଧିନକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି ଟାଟା। ଏନେଇ ଟାଟା କର୍ତ୍ତୃପକ୍ଷ ଭାରତ ସରକାରଙ୍କ ନିକଟରେ ଏକ୍‌ସପ୍ରେସନ ଅଫ ଇଣ୍ଟରେଷ୍ଟ ବା EOI ଦାଖଲ କରିଛି । ଏହାର ଅର୍ଥ, ଏୟର ଇଣ୍ଡିଆକୁ କିଣିବାକୁ ବିଡିଂ ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛା ପ୍ରକଟ କରିଛି ଟାଟା। ଖୁବଶୀଘ୍ର ଆବଶ୍ୟକ କାଗଜପତ୍ର ସରକାରଙ୍କୁ ଔପଚାରିକ ଭାବେ ପ୍ରଦାନ କରିବେ ।

air india

ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ଘରୋଇକରଣ କରିବାକୁ ଯୋଜନା କରିଛନ୍ତି ସରକାର । ୨୦୧୮ରେ ପ୍ରଥମ କରି ସରକାର ଏହି ବିମାନ କମ୍ପାନୀ ପାଇଁ ବିଡିଂ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ଵାନ କରିଥିଲେ । ହେଲେ ସେତେ ବେଳେ କେହିବି ଏହାକୁ କିଣିବାକୁ ଆଗ୍ରାହ ଦେଖାଇ ନଥିଲେ । ଏବେ ଏହାକୁ କିଣିବାକୁ ଅନେକ ଆଗ୍ରହ ଦେଖାଇଛନ୍ତି । ଏୟାର ଇଣ୍ଡିଆର ଉପରେ ପାଖାପାଖି ୯୦ ହଜାର କୋଟି ଟଙ୍କାର ଋଣ ରହିଛି । ଏହି ପରିପ୍ରେକ୍ଷୀରେ ଏୟାର ଇଣ୍ଡିଆର ଘରୋଇକରଣ ନହେଲେ ଏହି ସେବା ବନ୍ଦ କରିବା ସ୍ଥିତି ଉପୁଜିପାରେ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ।

ବର୍ତ୍ତମାନ ଟାଟା ସନ୍‌ସ ସିଙ୍ଗାପୁର ଏୟାରଲାଇନ୍‌ସ ସହ ମିଳିତ ଭାବେ ଭିସ୍ତାରା ଏୟାରଲାଇନ୍‌ସର ପରିଚାଳନା କରୁଛି । ଏୟାର ଏସିଆ ଇଣ୍ଡିଆରେ ଟାଟା ସନ୍‌ସର ୫୧ ପ୍ରତିଶତ ଅଂଶଧନ ଥିବାରୁ ଏହା ମାଧ୍ୟମରେ ଟାଟା ଏୟାର ଇଣ୍ଡିଆ ପରିଚାଳନା ପାଇଁ ଆଗ୍ରହ ଦେଖାଇଛି। ସିଙ୍ଗାପୁର ଏୟାରଲାଇନ୍‌ସ ପୂର୍ବରୁ କ୍ଷତିରେ ଥିବାରୁ ଏୟାର ଇଣ୍ଡିଆ ଅଧିଗ୍ରହଣ ପାଇଁ ଆଗ୍ରହ ଦେଖାଇ ନାହିଁ । ସେପଟେ ଏହା ସଫଳ ହେଲେ ଭାରତର ସର୍ବୋଚ୍ଚ ଉଦ୍ୟୋଗ ଟାଟା ଏୟାର ଇଣ୍ଡିଆକୁ ସହଜରେ ନିଜ ମାଲିକାନାକୁ ନେଇ ପାରିବ । ୧୯୩୨ ଅକ୍ଟୋବରରେ ଟାଟା ଗ୍ରୁପ ଟାଟା ଏୟାର ଲାଇନସ ନାମରେ ଏୟାର ଇଣ୍ଡିଆ ସେବା ଆରମ୍ଭ କରିଥିଲା। ୧୯୫୩ରେ ଏହା ଭାରତ ସରକାରଙ୍କ ଅଧିନକୁ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.