ଫେଷ୍ଟିଭ ସିଜିନ କିନ୍ତୁ ବେପାର ମାନ୍ଦା: ଅଟୋ କମ୍ପାନୀଙ୍କୁ ବଡ ଝଟକା, ଅକ୍ଟୋବରରେ କମିଲା ୨୪ % ଗାଡି ବିକ୍ରି

ଫେଷ୍ଟିଭ ସିଜିନ ଆସିଲେ ସମସ୍ତେ କିଛି ନା କିଛି ନୂଆ କିଣିବାକୁ ମନ କରିଥାନ୍ତି। ଏହା ମଧ୍ୟରେ ଗ୍ରାହକ ଗାଡି କିଣିବାକୁ ମନ ବଳାଇଥାନ୍ତି। କିଏ କେଉଁ ଗାଡି କିଣିବ, ତାହା ମଧ୍ୟ ପୂର୍ବରୁ ନିଷ୍ପତ୍ତି ନେଇସାରିଥାନ୍ତି । କିନ୍ତୁ ଚଳିତବର୍ଷ ଫେଷ୍ଟିଭ ସିଜିନରେ ବେପାର ମାନ୍ଦା ରହିଛି। ଅଗଷ୍ଟ ଓ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଗାଡି ବିକ୍ରି ହ୍ରାସ ପାଇଛି । ଫେଷ୍ଟିଭ୍ ସିଜନରେ ଭଲ ବିକ୍ରି ହେବ ବୋଲି ଅନୁମାନ କରାଯାଉଥିଲା କିନ୍ତୁ ଗତମାସରେ ଗାଡି ବିକ୍ରିରେ ବଡ ହ୍ରାସ ନଜର ଆସିଛି ।
କେବଳ ପାସେଞ୍ଜର୍ ଭେଇକିଲ ସେଗମେଣ୍ଟରେ କିଛି ଅଟୋ କମ୍ପାନୀ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ମାରୁତି ସୁଜୁକି, ହ୍ୟୁଣ୍ଡାଇ, ଟାଟା ମୋଟର୍ସ ଓ କିଆ ମୋଟର୍ସର କାର୍ ଭଲ ବିକ୍ରି ହୋଇଛି। ତେବେ ଅନ୍ୟ କମ୍ପାନୀଙ୍କ ବିକ୍ରି ହ୍ରାସ ପାଇଛି। ଫେଡେରେସନ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ଅନୁସାରେ ଅକ୍ଟୋବର ମାସରେ ଯାତ୍ରୀବାହୀ କାରର ବିକ୍ରିରେ ୮.୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।
ଏକ ଆକଳନ ମୁତାବକ, ପାସେଞ୍ଜର ଭେଇକିଲ୍ସର ଖୁଚୁରା ବିକ୍ରି ବାର୍ଷିକ ଆଧାରରେ ଅକ୍ଟୋବରରେ ୮.୮ ପ୍ରତିଶତ ହ୍ରାସ ପାଇ ୨,୪୯,୮୬୦ ୟୁନିଟ୍ ରହିଯାଇଛି। ଅକ୍ଟୋବରରେ ଦୁଇଚକିଆ ଯାନର ଚାହିଦା ହ୍ରାସ ପାଇଛି। ଅକ୍ଟୋବରରେ ସମୁଦାୟ ୧୦,୪୧,୬୮୨ ଦୁଇଚକିଆ ଯାନ ବିକ୍ରି ହୋଇଛି । ଯଦିଓ ଏକ ବର୍ଷ ପୂର୍ବରୁ ଅକ୍ଟୋବରରେ ୧୪,୨୩,୩୯୪ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ବାର୍ଷିକ ଆଧାରରେ ୨୬.୮୨ ପ୍ରତିଶତ ହ୍ରାସ ପାଇଛି।
ସବୁଠାରୁ ଅଧିକ ଅକ୍ଟୋବର ମାସରେ କମର୍ସିଆଲ ଭେଇକିଲ୍ସ ବିକ୍ରି ହ୍ରାସ ପାଇଥିଲା । ସୂଚନା ଅନୁସାରେ ଗତ ମାସରେ କମର୍ସିଆଲ ଭେଇକିଲ୍ସର ବିକ୍ରି ୩୦.୩୨ ପ୍ରତିଶତ ହ୍ରାସ ପାଇ ୪୪,୪୮୦ ୟୁନିଟ୍ ରହିଯାଇଥିଲା। ଗୋଟେ ବର୍ଷ ପୂର୍ବରୁ ସମାନ ଅବଧିରେ ୬୩,୮୩୭ ୟୁନିଟ୍ସ ବିକ୍ରି ହୋଇଥିଲା । ଅକ୍ଟୋବରରେ ସବୁ ପ୍ରକାର ଯାନ ବିକ୍ରି ବଢିବା ଆଶା କରାଯାଉଥିଲା । କିନ୍ତୁ ଚଳିତ ଅକ୍ଟୋବରରେ ଗାଡି ବିକ୍ରି ଅନେକ ମାତ୍ରାରେ ହ୍ରାସ ପାଇଛି ।