Below header

‘କବଚ’ ବ୍ୟବସ୍ଥା ଲାଗୁ ହେବା କେତେ ଜରୁରୀ? ଜାଣନ୍ତୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କରୁଛନ୍ତି କଣ ପ୍ଲାନିଂ

ବାଲେଶ୍ୱର ରେଳ ଷ୍ଟେସନରେ ଏଭଳି ଏକ ଦୁର୍ଘଟଣା ପରେ କେବେ ଓଡିଶାକୁ ମିଳିବ ରକ୍ଷା ‘କବଚ’ । ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା ।

ବାଲେଶ୍ୱର ରେଳ ଷ୍ଟେସନରେ ଏଭଳି ଏକ ଦୁର୍ଘଟଣା ପରେ କେବେ ଓଡିଶାକୁ ମିଳିବ ରକ୍ଷା ‘କବଚ’ । ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସିଗନାଲ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସିବିଆଇ ଏହି ଘଟଣାର ଯାଞ୍ଚ କରି ଫେରିଯାଇଛି ।

ତେବେ ଏତେବଡ଼ ଦୁର୍ଘଟଣା ପରେ ରେଳବାଇର ସୁରକ୍ଷା ‘କବଚ’କୁ ନେଇ ପ୍ରଶ୍ନ ଉଠିଥିଲା । ଏହି ‘କବଚ’ ଥିଲେ ହୁଏତ ଏତେସଂଖ୍ୟକ ଲୋକ ମୃତ୍ୟୁବରଣ କରିନଥାନ୍ତେ ବୋଲି ବିଭିନ୍ନ ମହଲରୁ ରେଳବାଇକୁ ନିନ୍ଦା ଶୁଣିବାକୁ ପଡ଼ିଥିଲା । ତେବେ ଏହି ଘଟଣାର ମୃତକ ଓ ଆହତଙ୍କୁ କେନ୍ଦ୍ର, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହି ଦୁର୍ଘଟଣା ପରେ କ’ଣ ରହିଛି କେନ୍ଦ୍ର ସରକାରଙ୍କ ଯୋଜନା ।

ବିଶେଷ କରି ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଅତୀତରେ ବାଲେଶ୍ୱରର ଜିଲ୍ଲାପାଳ ଦାୟିତ୍ୱ ନିର୍ବାହ କରି ଅଞ୍ଚଳର ଲୋକଙ୍କର ପ୍ରିୟପାତ୍ର ପାଲଟି ଥିବା ଅଶ୍ୱିନୀଙ୍କ କାର୍ଯ୍ୟକାଳରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ ବି କଳ୍ପନା କରିନଥିବେ । ବାହାନଗାବାସୀଙ୍କ ଲୁହକୁ ବୁଝିପାରିଥିଲେ ରେଳମନ୍ତ୍ରୀ । ସେଥିପାଇଁ ସେ ବାରମ୍ବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ ।

ତେବେ ଏବେ ଭାରତ ସରକାରଙ୍କ ପରବର୍ତ୍ତୀ ଯୋଜନା କ’ଣ? ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ୟମରେ ସଫଳ ହୋଇଛି ରେଳ ବ୍ୟବସ୍ଥାର ସ୍ୱୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା ‘କବଚ’ର ପରୀକ୍ଷଣ । ବିଭିନ୍ନ ସ୍ଥାନରେ ହେଉଥିବା ରେଳ ଦୁର୍ଘଟଣାରେ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ଏବଂ ଏହା ବେଶ ସହାୟକ ହେବ ବୋଲି ମଧ୍ୟ ପ୍ରମାଣ ମିଳିଥିଲା । ଏହାପରେ ଏହି ‘କବଚ’ ବ୍ୟବସ୍ଥାକୁ କାର୍ଯ୍ୟକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଭାରତର ୧୯ଟି ରେଳ ଜୋନ୍ ମଧ୍ୟରୁ କେବଳ ସିକନ୍ଦରାବାଦରେ ଏହି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏହାସହିତ ଭାରତରେ ମୋଟ ୧୩,୨୧୫ଟି ବିଦ୍ୟୁତ ଚାଳିତ ରେଳ ଚାଲୁଥିବା ବେଳେ ମାତ୍ର ୬୫ଟି ଟ୍ରେନ ପାଇଁ ‘କବଚ’ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ ଖର୍ଚ୍ଚ ବହୁଳ ସମସ୍ୟା ଯୋଗୁଁ ଏହି ବ୍ୟବସ୍ଥାକୁ ବ୍ୟାପକ କରିବାରେ ପଛଘୁଞ୍ଚା ଦେଇଛି ପ୍ରଶାସନ ।

ତେଣୁ ଆଗକୁ ସରକାର ସାରା ଦେଶରେ ‘କବଚ’ ବ୍ୟବସ୍ଥା ଲାଗୁ କରିବେ ନା ଜାପାନ, ଚୀନ ପରି ପଡ଼ୋଶୀ ଦେଶ ବ୍ୟବହାର କରୁଥିବା ଟେକ୍ନୋଲୋଜିକୁ ବ୍ୟବହାର କରିବେ । ତାହା ଏବେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ । ସମୟ ଥାଉଥାଉ କେନ୍ଦ୍ର ସରକାର କିଛି ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ । କାରଣ ବାହାନଗା ପରେ ନିୟମିତ ବ୍ୟବଧାନରେ ଛୋଟବଡ଼ ରେଳ ଦୁର୍ଘଟଣା ଘଟିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.