Below header

ରାଜ୍ୟର ତୃତୀୟ କରୋନା ପଜେଟିଭ୍‌ଙ୍କ ସମ୍ପର୍କରେ ଜାଣନ୍ତୁ କଣ କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ତୃତୀୟ କରୋନା ପଜେଟିଭ୍‌ ବାହାରିବା ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇ ଉଠିଛନ୍ତି । ଆଜି ଦିନ ୧୧ଟା ବେଳେ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏ ସମ୍ପର୍କରେ ବିସ୍ତତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତୃତୀୟ ଚିହ୍ନଟ ବ୍ୟକ୍ତି ଜଣକ ଭୁବନେଶ୍ୱରର । ସେ ମାର୍ଚ୍ଚ ୭ ତାରିଖ ଦିନ ଦିଲ୍ଲୀ ଯାଇଥିଲେ । ସେଠାରୁ ୧୦ ତାରିଖ ଦିନ ଇଣ୍ଡିଗୋ ବିମାନରେ ଭୁବନେଶ୍ୱର ଫେରିଥିଲେ । ଦିଲ୍ଲୀରୁ ଫେରିବା ପରେ ମାର୍ଚ୍ଚ ୧୩ ତାରିଖରେ ଅସୁସ୍ଥ ହୋଇ ପଡ଼ିଥିଲେ । ତେବେ ୧୬ ତାରିଖ ଦିନ ବିଧାନସଭା ଡିସପେନସରୀକୁ ଆସି ଡାକ୍ତରୀ ପରାମର୍ଶ ନେଇଥିଲେ । ଅସୁସ୍ଥତା ଜାରି ରହିବାରୁ ସେ ୨୧ ତାରିଖରେ କର କ୍ଲିନିକ୍‌କୁ ଆସିଥିଲେ । ୨୩ରେ ନିମୋନିଆ ପାଇଁ କର କ୍ଲିନିକ୍‌ ଆଇସିୟୁରେ ରହିବା ପରେ ୨୪ରେ ଡିସଚାର୍ଜ ହୋଇଥିଲେ । ୨୫ ତାରିଖରେ କ୍ୟାପିଟାଲ ହସପିଟାଲକୁ ଆସିଥିଲେ । ସେହିଦିନ ତାଙ୍କ ନମୂନା ନିଆଯାଇଥିଲା ଏବଂ ଗତକାଲି ତାଙ୍କର ପଜେଟିଭ୍‌ ରିପୋର୍ଟ ଆସିଛି । ତେବେ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ବାଗଚି କହିଛନ୍ତି ।
ସେ ଯେଉଁମାନଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଖୋଜା ଆରମ୍ଭ ହୋଇଛି । ତେବେ ପ୍ରାରମ୍ଭିକ ଭାବେ ତାଙ୍କ ଝିଅ, ପତ୍ନୀ ଏବଂ ଡ୍ରାଇଭର୍‌ଙ୍କୁ ଆଇସୋଲେସନ୍‌ରେ ରଖା ଯାଇଛି । କାରଣ ଦିଲ୍ଲୀରୁ ତାଙ୍କ ସହ ତାଙ୍କ ଝିଅ ଓ ପତ୍ନୀ ଇଣ୍ଡିଗୋ ବିମାନରେ ଭୁବନେଶ୍ୱର ଆସିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ତୃତୀୟ ବ୍ୟକ୍ତିଙ୍କ ସହ ୨୦୦ ଜଣ ସମ୍ପର୍କରେ ଆସିଛନ୍ତି ।

ବେସରକାରୀ ହସପିଟାଲ ଓ କ୍ଲିନିକ ପାଇଁ ନୂଆ ଗାଇଡ୍‌ ଲାଇନ୍‌

ପ୍ରଥମ ପଜେଟିଭ୍‌ ବାହାରିବା ପରେ ଗୋଟିଏ ବେସରକାରୀ କ୍ଲିନିକ୍‌କୁ ସିଲ୍‌ କରାଯାଇଥିଲା । ଆଉ ଏବେ ଅନ୍ୟ ଏକ କ୍ଲିନିକ ସେହି ଭୁଲ ଦୋହରାଇଛି । ତେଣୁ ଆଜି ସ୍ୱାସ୍ଥ୍ୟ ବିଭାଗ ବେସରକାରୀ ହସପିଟାଲ ଓ କ୍ଲିନିକ୍‌ ପାଇଁ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି କରିବ ବୋଲି ବାଗଚୀ କହିଛନ୍ତି । ଏଥିରେ ରୋଗୀ ଚିକିତ୍ସା ନେଇ କଡ଼ା କଟକଣା ଜାରି କରାଯିବ ।

ଆହୁରି ବଢ଼ିଲା ଆଶଙ୍କା

ଶ୍ରୀ ବାଗଚୀ ଆହୁରି କହିଛନ୍ତି ଯେ ପୂର୍ବରୁ କେବଳ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ କଥା ଆମେ ଚିନ୍ତା କରୁଥିଲେ । କାରଣ ପ୍ରଥମ ଦୁଇଜଣ ପଜେଟିଭ ହେଉଛନ୍ତି ବିଦେଶ ଫେରନ୍ତା । ତେବେ ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି, ଏକଥା ତୃତୀୟ ପଜେଟିଭ୍‌ ଚିହ୍ନଟ ହେବା ପରେ ସ୍ପଷ୍ଟ ହୋଇଛି । ରାଜ୍ୟ ବାହାରୁ ଅନେକ ଶ୍ରମିକ ଏବଂ ଅନ୍ୟ ବର୍ଗର ଲୋକ ଫେରିଥିବାରୁ ସମସ୍ତେ ଅତ୍ୟନ୍ତ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ଆହୁରି ମଧ୍ୟ ଏହା ଭିତରେ ଯେଉଁ ବ୍ୟକ୍ତିମାନେ ବିଧାନସଭା ଡିସପେନସରୀ ଏବଂ କର କ୍ଲିନିକକୁ ଯାଇଛନ୍ତି ତେବେ ସେମାନେ ୧୪ ଦିନ ଆଇସୋଲେସନ୍‌ରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି କର କ୍ଲିନିକ୍‌ର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ସମାନ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.