ପୂଣ୍ୟତୋୟା ବୈତରଣୀ ନଦୀରେ ମହା ବାରୁଣୀ ବୁଡ଼: ଲକ୍ଷାଧିକ ଭକ୍ତଙ୍କ ଭିଡ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କଲେ ପିଣ୍ଡଦାନ

 ଯାଜପୁର ଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ମହା ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯାଜପୁରର ଦଶାଶ୍ୱମେଧ ଘାଟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି ।

ଯାଜପୁର ଟାଉନ୍‌ (କେନ୍ୟୁଜ) : ଯାଜପୁର ଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ମହା ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯାଜପୁରର ଦଶାଶ୍ୱମେଧ ଘାଟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ଓ ପୌରପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ ୧୨ ବର୍ଷ ବଡ଼ । ମହାବାରୁଣୀ ସ୍ନାନଯୋଗ ପଡ଼ିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏଠାକୁ ଆଗମନ ହୋଇଥାଏ । ଏଥର ପଡ଼ିଛି ମହାବାରୁଣୀ ସ୍ନାନ ଯୋଗ । ତେଣୁ ଆଜି ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଏହି ଦିନରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଚଳିତ ବର୍ଷ ମହାବାରିଣୀ ଯୋଗ ପଡ଼ିଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ନଦୀରେ ପବିତ୍ର ସ୍ନାନ କରି ବୁଡ଼ ପକାଇବା ପରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ ।

ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଇଥାଏ । ଗଙ୍ଗାନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିସା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କର ମୋକ୍ଷଲାଭ ହୋଇଥାଏ । ଏହି ଉଦ୍ଦେଶ୍ୟରେ ବୈତରଣୀ ନଦୀକୂଳରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ନଦୀର ଉଭୟ ପାର୍ଶ୍ଵରେ ବିଶେଷ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ସକାଳ ୭ଟା ୯ମିନିଟରୁ ଅପରାହ୍ନ ୧୨ଟା ୫୭ମିନିଟ ପର୍ଯ୍ୟନ୍ତ ଏହି ସ୍ନାନଯୋଗ ଓ ବୁଡ଼ଯୋଗ ରହିଥିଲା । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏଥିସକାଶେ ଜିଲ୍ଲାପ୍ରଶାସନ ଏବଂ ପୌରପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି ।

ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯିବା ସହିତ ପକେଟ ମାର ଓ ମଦ୍ୟପଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ର ମାନ ଖୋଲାଯାଇଛି । ପ୍ରବଳ ଗରମ ଯୋଗୁଁ ଲୋକଙ୍କ ଉପରେ ମଧ୍ୟ ଜଳସିଞ୍ଚନ କରାଯାଉଛି ।  ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମା ବିରଜା, ଜଗନ୍ନାଥ ମନ୍ଦିର, ବରାହ, ଯମ ମା ସାତ ଭଉଣୀ, ଶନି ମନ୍ଦିରରେ ଦର୍ଶନ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.