Below header

ପାଟପୁରର ଦୋଳମେଳଣ ସବୁଠୁ ନିଆରା, ଏକ କିଲୋମିଟର ରାସ୍ତା ଯାଏ ଝୋଟି ପକାଇଥାନ୍ତି ଗାଁର ଝିଅ ବୋହୂ

ଓଡିଆ ପରମ୍ପରାରେ ଅନେକ ପର୍ବପର୍ବାଣି ରହିଛି । ଏହି ପରମ୍ପରା ଗୁଡିକ ଅନେକାଂଶରେ ମଠ, ମନ୍ଦିର ପରମ୍ପରାରୁ ଆସିଥିବା ବେଳେ ପର୍ବପର୍ବାଣି ଗୁଡିକ ଆଧ୍ୟାତ୍ମିକ ଚେତନାକୁ ନେଇ ଗଢିଉଠିଥାଏ । ସେଥିମଧ୍ୟରୁ ଦୋଳ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଫଗୁଣ ମାସରେ ପାଳନ କରାଯାଇଥାଏ ।

କାକଟପୁର(କେନ୍ୟୁଜ): ଓଡିଆ ପରମ୍ପରାରେ ଅନେକ ପର୍ବପର୍ବାଣି ରହିଛି । ଏହି ପରମ୍ପରା ଗୁଡିକ ଅନେକାଂଶରେ ମଠ, ମନ୍ଦିର ପରମ୍ପରାରୁ ଆସିଥିବା ବେଳେ ପର୍ବପର୍ବାଣି ଗୁଡିକ ଆଧ୍ୟାତ୍ମିକ ଚେତନାକୁ ନେଇ ଗଢିଉଠିଥାଏ । ସେଥିମଧ୍ୟରୁ ଦୋଳ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଫଗୁଣ ମାସରେ ପାଳନ କରାଯାଇଥାଏ । ରାଜ୍ୟର ଅନେକ ମଠ ମନ୍ଦିର ରହିଥିବା ବେଳେ ସେଠାରେ ପୂଜା ପାଉଥିବା ଦିଅଁଙ୍କୁ ବର୍ଷକ ଥରେ ଫଗୁଣ ମାସରେ ମନ୍ଦିରରୁ ବାହାର କରାଯାଇ ଦୋଳ ବିମାନରେ ବସାଇ ବିଭିନ୍ନ ଗ୍ରାମ,ସାହି ,ପଡାକୁ ବିଜେ କରାଯାଇଥାଏ ।

ଦୋଳ ବିମାନରେ ବିଜେ କରିଥିବା ରାଧା ମାଧବ ଘର ଘର ଏବଂ ଦ୍ୱାର ଦ୍ୱାର ବୁଲି ଭକ୍ତ ,ଶ୍ରଦ୍ଧାଳୁ ମାନଙ୍କ ଠାରୁ ଭୋଗ ଖାଇଥାନ୍ତି । ଦୋଳ ବିମାନରେ ବିଜେ କରିଥିବା ଦିଅଁଙ୍କୁ ଫଗୁ ଦଶମୀ ଠାରୁ ମନ୍ଦିରରୁ ବାହାର କରାଯାଇ ଠାକୁରମାନଙ୍କୁ ନଗର ପରିକ୍ରମା କରାଯାଇଥାଏ । ଏହାପରେ  ବିଭିନ୍ନ ଗ୍ରାମ ସହର ମାନଙ୍କରେ ଭକ୍ତ ମାନଙ୍କ ଠାରୁ ଭୋଗ ଖାଇଥାନ୍ତି । ଠାକୁର ମାନଙ୍କର ଭୋଗ ଖାଇବା ପ୍ରକ୍ରିୟା ଫଗୁଦଶମୀ ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା ଯାଏ ଚାଲିଥାଏ । ଏହାପରେ ଦୋଳ ମେଳଣ ଆରମ୍ଭ ହୋଇଥାଏ ।

ଏହି ପ୍ରାଚୀନ ପରମ୍ପରା ଅନେକ ସ୍ଥାନରେ ହଜି ହଜି ଯାଉଥିବା ବେଳେ କାକଟପୁର ଅଞ୍ଚଳର ପାଟପୁର ଗ୍ରାମରେ ଏକ ଅଭିନବ ଭାବରେ ଦୋଳ ମେଳଣ କରାଯାଇଥାଏ । ପାଟପୁର ଆଶ୍ରମ ପକ୍ଷରୁ ଏହି ଦୋଳ ମେଳଣ ଆୟୋଜନ କରାଯାଉଥିବା ବେଳେ ଗ୍ରାମର ଝିଅ ,ବୋହୁ ମାନେ ଦୋଳ ମେଳଣ ପଡିଆ ବାରୁଣେଇ ମନ୍ଦିର ଠାରୁ ଲବକୁଶ ଆଶ୍ରମ ପ୍ରାୟ ଏକ କିଲୋମିଟର ଦୂର ରାସ୍ତାକୁ ଧୋଇ ସେଥିରେ ଝୋଟି ପକାଇ ପାରମ୍ପରିକ ଚିତାକୁ ଆଙ୍କିଥାନ୍ତି । ଏହାପରେ ସନ୍ଧ୍ୟା ସମୟରେ ଦୋଳ ବିମାନ ଗୁଡିକ ବାରୁଣେଇଙ୍କ ପୀଠରେ ଏକାଠି ହୋଇଥାନ୍ତି ।

dola

ପାଟପୁର ଗ୍ରାମର ଗ୍ରାମବାସୀମାନେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସନ୍ଧ୍ୟା ହେବା କ୍ଷଣି ଏକାଧିକ ଦୋଳ ବିମାନ ଗୁଡିକ ବିଭିନ୍ନ ପଟୁଆରରେ ପାଟପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବାରୁଣେଇଙ୍କ ପୀଠରେ ପହଞ୍ଚିଥାନ୍ତି । ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜାରେ ଦୋଳ ବିମାନ ଗୁଡିକ ବେଶ ଆକର୍ଷଣୀୟ ଦେଖାଯାନ୍ତି । ଦୋଳମେଳନ ସ୍ଥାନରେ ସମସ୍ତ ଦୋଳ ବିମାନ ଗୁଡିକ ପହଞ୍ଚି ସରିବା ପରେ କାକଟପୁର ତହସିଲଦାର ଏବଂ କାକଟପୁର ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବରେ ପହଞ୍ଚିଥାନ୍ତି ।

ଅତିଥି ମାନଙ୍କୁ ଗ୍ରାମବାସୀ ମାନେ ଏକ ବିରାଟ ପଟୁଆରେ ବାଜା ବାଣ ସହ ପାରମ୍ପରିକ ନୃତ୍ୟ କରି ଦୋଳ ମେଳଣ ପଡ଼ିଆକୁ ପାଛୋଟି ନେଇଥାନ୍ତି ।  ସେଠାରେ ଅତିଥିମାନେ ପହଞ୍ଚି ଦୋଳ ବିମାନ ଗୁଡିକୁ ବନ୍ଦାପନା ଏବଂ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ ସମସ୍ତ ଦୋଳବିମାନ ମାନଙ୍କ ଆରମ୍ଭ ହୋଇଥାଏ ମେଳଣ ପର୍ବ । ବିଭିନ୍ନ ପାରମ୍ପରିକ ନୃତ୍ୟ ,ବାଜା ମାଧ୍ୟମରେ ଏକାସାଙ୍ଗରେ ଏକାଧିକ ଦୋଳବିମାନ ଗୁଡିକ ବାହାରିଥାନ୍ତି ଲବକୁଶ ଆଶ୍ରମକୁ ।

ଏହି ମେଳଣ ପର୍ବ ସମୟରେ ପାଟପୁର ଗ୍ରାମର ସମସ୍ତ ଗ୍ରାମବାସୀ ଏକାଠି ହୋଇ ନାଚ ଗୀତରେ ମସଗୁଲ ହୋଇ ଦୋଳ ବିମାନ ଗୁଡିକୁ ପାଛୋଟି ନେଇଥାନ୍ତି ନିଜ ଗ୍ରାମର ଦୋଳ ମଣ୍ଡପକୁ । ଏହି ଦୋଳମେଳଣ ପାଟପୁର ଗ୍ରାମର ଏକ ପାରମ୍ପରିକ ପର୍ବ ଭାବରେ ବେଶ ପରିଚିତ । ଏହି ପର୍ବରେ ସମସ୍ତ ଗ୍ରାମବାସୀ ମାନେ ଏକାଠି ହେବା ସହିତ ଏକ ଭାଇଚାରାର ନୂତନ ସେତୁ ବାନ୍ଧି ଆସୁଛନ୍ତି ବର୍ଷ ବର୍ଷ ଧରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.