Below header

ଆଜି ବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ମିଳିପାରିଲାନି ଜାମିନ୍‌, ପୁଣିଥରେ ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି

ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି ବି ମିଳିପାରିଲାନି ବେଲ୍‌। ଜାମିନ୍‌ ଶୁଣାଣି ଆଜି ସମ୍ପୂର୍ଣ୍ଣ ହୋଇନପାରିବାରୁ ପୁଣିଥରେ ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି। ଗୁରୁବାର ପୁଣିଥରେ ଏହି ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ହେବ। ଚଳିତମାସ ଆରମ୍ଭରେ ମୁମ୍ବାଇ ସମୁଦ୍ରକୂଳ ନିକଟରେ ଏକ କ୍ରୁଜ ଜାହାଜରେ ଡ୍ରଗ୍ସ ଜବତ ମାମଲାରେ ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା ଏନ୍‌ସିବି। ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଛି। ତେବେ ଆଜି ତାଙ୍କୁ ବେଲ୍‌ ମିଳିବ ବୋଲି କୁହାଯାଉଥିଲା। କିନ୍ତୁ ଆଜି ବି ଆର୍ଯ୍ୟନ୍‌ ଖାନ୍‌ ନିରାଶ ହୋଇଛନ୍ତି। ବେଲ୍‌ ଶୁଣାଣି ହୋଇ ନ ପାରିବାରୁ ଆର୍ଯ୍ୟନ୍‌ ପୁଣିଥରେ ଆର୍ଥର ଜେଲକୁ ଫେରିଯାଇଛନ୍ତି। ଆଜି ବି ସେ ଜେଲରେ ହିଁ ରାତି କାଟିବେ।

ଅନ୍ୟପଟେ ଆର୍ଯ୍ୟନ୍‌ଙ୍କୁ ଗିରଫ କରିବା ପରେ ଚର୍ଚ୍ଚାକୁ ଆସିଥିବା ଏନ୍‌ସିବି ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡ଼େଙ୍କ ସମସ୍ୟା ଏବେ ବଢ଼ିଛି। ସମୀରଙ୍କ ବିରୋଧରେ ଜବରଦସ୍ତି ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆସିବା ପରେ ସମୀରଙ୍କ ଉପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ଏହି ମାମଲାରେ ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ନିଜେ ଖଣ୍ଡନ କରିଛନ୍ତି।

ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଗତ କିଛି ଦିନ ତଳେ ଆର୍ଯ୍ୟନ୍‌ ଖାନ୍‌କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। କିରଣ ଗୋସାବୀଙ୍କ ବଡିଗାର୍ଡ ପ୍ରଭାକର ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆର୍ଯ୍ୟନ୍‌ଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କା ଦାବି କରାଯାଇଛି। ତାଙ୍କ ସତ୍ୟପାଠ ମୁତାବକ, ଏହି ଦାବି ଗୋସାବୀ ଏନ୍‌ସିବି ମୁଖ୍ୟ ସମୀର ଓ୍ଵାଙ୍ଖଡ଼େଙ୍କ ପକ୍ଷରୁ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଭାକର ହେଉଛନ୍ତି ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଜଣେ ପ୍ରତ୍ୟକ୍ଷ ସାକ୍ଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.