‘ବିଗ୍ ବସ୍ ୧୫’ ପାଇଁ ପ୍ରସ୍ତୁତି ଆରମ୍ଭ, ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ କରିବେ ଏଣ୍ଟ୍ରି !
ବିଗ୍ ବସ୍ ସିଜନ ୧୪ ପରେ ଏବେ ସିଜନ ୧୫କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦେଶର ସବୁଠାରୁ ବଡ଼ ରିୟାଲିଟି ଶୋ’କୁ ପୁଣି ଦୁଇବର୍ଷ ପୁରୁଣା ଫର୍ମାଟକୁ ଅଣାଯାଇପାରେ। କୁହାଯାଉଛି କି, ଏଥର ଶୋ’ରେ ପୁଣି ସେଲିବ୍ରିଟିଙ୍କ ସହିତ କମନର୍ସ ମଧ୍ୟ ଦେଖାଯିବେ, ଯେଉଁ କମନର୍ସଙ୍କୁ ସିଜନ ୧୩ ଏବଂ ୧୪ରୁ ଦୂରେଇ ରଖାଯାଇଥିଲା। ଏବେ ସେମାନଙ୍କୁ ଶୋ’ରେ ଅନ୍ତର୍ଭୁକ୍ତ କରାଇବା ଉପରେ ବିଚାର କରାଯାଉଛି।
ସେପଟେ କେତେଜଣ ଚର୍ଚ୍ଚିତ ଚେହେରାଙ୍କୁ ଡକାଇବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ତାଲିକାରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଓ ଟିଭି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ। ଅଙ୍କିତାଙ୍କୁ ସିଜନ ୧୫ର ଅଫର୍ ଦିଆଯାଇଥିବା କୁହାଯାଉଛି। ବର୍ତ୍ତମାନ ସେ ଏହାକୁ ସ୍ୱୀକାର କରୁଛନ୍ତି କି ନାହିଁ, ତାହା କେବଳ ଦେଖିବାକୁ ଅଛି।
ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ଅଭିନେତ୍ରୀ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ କେତେକ ଜାଗାରେ ଟ୍ରୋଲ ବି କରାଯାଇଛି। ଏମିତିରେ ସେ ଲାଇମ୍ଲାଇଟରେ ଅଛନ୍ତି। ଅଙ୍କିତାଙ୍କ ବ୍ୟତୀତ ତେଜସ୍ୱୀ ପ୍ରକାଶଙ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି। କୁହାଯାଉଛି କି, ସେ ମଧ୍ୟ ସିଜନ ୧୫ରେ ଅଂଶଗ୍ରହଣ କରିପାରନ୍ତି। ତେଜସ୍ୱୀ ପ୍ରକାଶ ଗତଥର ‘ଖତରୋଁ କେ ଖିଲାଡି’ରେ ଦେଖାଯାଇଥିଲେ। ତେଜସ୍ୱୀ ଓ ଅଙ୍କିତାଙ୍କ ଛଡ଼ା ଜେନିଫର ଓ୍ଵିଙ୍ଗେଟ୍, ଅଭିଜିତ୍ ସାଓ୍ଵନ୍ତ ଓ ଅଦା ଖାନ୍ଙ୍କ ଭଳି ନାଁକୁ ନେଇ ଚର୍ଚ୍ଚା ଚାଲିଛି।