ପ୍ରକୃତି କରୁଛି ପ୍ରକୃତ କାମ, ଶିମିଳିପାଳରେ ବର୍ଷା ଆଣିଛି ଆଶ୍ୱସ୍ତି

କରଞ୍ଜିଆ (କେ ନ୍ୟୁଜ୍‌) : ମଣିଷ ସିନା ପାରୁନି ହେଲେ ତା ସହ ମିଶି ପ୍ରକୃତି ଆରମ୍ଭ କରିଛି ଉଦ୍ୟମ । ନିଜର ସଂରଚନାକୁ ବଞ୍ଚାଇବା ପାଇଁ ଯେମିତି ନିଜେ ଇଶ୍ୱର ଅଣ୍ଟା ଭିଡ଼ିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେବ ଲାଗିଥିବା ନିଆଁକୁ କିଭଳି ସମ୍ପୂର୍ଣ୍ଣ ଭାବେ ଲିଭା ଯାଇ ପାରିବ ସେ ନେଇ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି । ଆଉ ତାରି ଭିତରେ ଆଜି ସେହି ଅଞ୍ଚଳରେ କୁଆପଥର ସହିତ ବର୍ଷା ହୋଇଛି । ଏହି ବର୍ଷା କିଛି ମାତ୍ରାରେ ନିଆଁକୁ ଆୟତ୍ତ କରିବାରେ ସହାୟକ ହେବ ।

ଯାହା ସୂଚନା ମିଳିଛି, ଶିମିଳିପାଳ ଜଙ୍ଗଲର ୬ଟି ରେଞ୍ଜ୍‌ରେ ଆଜି ଅପରାହ୍ନରେ ବର୍ଷା ହୋଇଛି । କୁଆପଥର ବି ପଡ଼ିଛି । ତେଣୁ ପ୍ରାକୃତିକ ଉପାୟରେ ନିଆଁ ଲିଭିଯିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଗତ ପ୍ରାୟ ଦୁଇ ସପ୍ତାହ ହେବ ଶିମିଳିପାଳରେ ନିଆଁ ଲାଗି ଅନେକ ମୂଲ୍ୟବାନ ବୃକ୍ଷଲତା ପୋଡ଼ି ସାରିଲାଣି । ପଶୁପକ୍ଷୀ ବି ଦହଗଞ୍ଜ ହେଉଛନ୍ତି ।

ଏହି ଘଟଣା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଜୈବବିବିଧତା ଯୋଗୁଁ ଶିମିଳିପାଳ ରାଜ୍ୟ ପାଇଁ ପ୍ରକୃତିର ଏକ ମହତ୍‌ ଦାନ ବୋଲି କୁହାଯାଏ । ନିଆଁ ଲିଭି ପାରୁନଥିବାରୁ ଏଥିଲାଗି ରାଜ୍ୟ ସରକାର ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ସମସ୍ତେ ନିଆଁ ଲିଭାଇବାକୁ ଏକାଠି ହୋଇଥିବା ବେଳେ ବର୍ଷା ଆଜି ସମସ୍ତଙ୍କୁ ଅନେକ ଆଶ୍ୱସ୍ତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.