KBC ରେ ଏହି ପ୍ରଶ୍ନର ଉତ୍ତର ଦେଇ ବଦଳିଲା ପାଚିକାଙ୍କ ଭାଗ୍ୟ
‘କୌନ୍ ବନେଗା କରୋଡପତି’ ସିଜନ୍ ୧୧ ରେ ଦ୍ୱିତୀୟ କୋଟିପତି ମିଳି ଯାଇଛନ୍ତି। ମାସକୁ ୧୫୦୦ ଟଙ୍କା ରୋଜଗାର କରୁଥିବା ଜଣେ ପାଚିକା ବବିତା ତାଡ଼େ ଏହି ସୋ’ରେ ୧ କୋଟି ଟଙ୍କା ଜିତିଛନ୍ତି। ତାଙ୍କ ଅବସ୍ଥା ଏମିତି ଥିଲା ଯେ ସେ ନିଜ ପାଇଁ ଭଲ ଫୋନଟିଏ ମଧ୍ୟ କିଣି ପାରୁ ନଥିଲେ। ଏହା ଜାଣିବା ପରେ ଅମିତାଭ ବଚ୍ଚନ ତାଙ୍କୁ ଗୋଟିଏ ଓପୋ ଫୋନ୍ ଉପହାର ସ୍ୱରୂପ ଦେଇଥିଲେ।
ବବିତା ହେଉଛନ୍ତି ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା। ସେ ଏକ ସ୍କୁଲ୍ରେ ୪୫୦ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି। ପିଲାମାନଙ୍କ ପାଇଁ ଖେଚୁଡ଼ି ତିଆରି କରି ତାଙ୍କୁ ମାସିକ ୧୫୦୦ ଟଙ୍କା ବେତନ ମିଳେ। ଏତେ କମ୍ ଟଙ୍କା ମିଳୁଥିବା ସତ୍ତ୍ୱେ ତାଙ୍କ ଖେଚୁଡ଼ିକୁ ପିଲାମାନେ ବେଶ୍ ପସନ୍ଦ କରୁଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି ବବିତା ଏହି ସୋ’ରେ ଅମିତାଭ ବଚ୍ଚନଙ୍କୁ କହିଥିଲେ।
ବବିତା ୧ କୋଟି ଟଙ୍କା ଜିତିବା ପରେ ଆହୁରି ଆଗକୁ ଯାଇପାରିଥା’ନ୍ତେ। କିନ୍ତୁ ୭ କୋଟି ପାଇଁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ସେ ସ୍ପଷ୍ଟ ଭାବେ ଜାଣି ନଥିବାରୁ ଏଥିରୁ ଓହରି ଯାଇଥିଲେ।
ଜାଣନ୍ତୁ କେଉଁ ପ୍ରଶ୍ନର ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଲେ ବବିତା
ମୋଗଲ ଶାସକ ବାହାଦୂର ଶାହ ଜାଫରଙ୍କ ଦରବାରର କେଉଁ କବି ଦାସ୍ତାନ୍-ଏ-ଗଦର୍ ଲେଖିଥିଲେ? ଏଥିରେ ସେ ୧୮୫୭ ସିପାହୀ ବିଦ୍ରୋହ ସମୟର ନିଜ ଅନୁଭୂତିକୁ ବର୍ଣ୍ଣନା କରିଥିଲେ।
ଏହି ପ୍ରଶ୍ନ ପାଇଁ ଅପ୍ସନ ଥିଲା :
୧. ମୀର ତକି ମୀର
୨. ମହମ୍ମଦ ଇବ୍ରାହିମ୍ ଜୌକ୍
୩. ଜହୀର ଦେହଲବୀ
୪. ଅବୁ ଅଲ୍ କାସୀମ୍ ଫିରଦୌସୀ
ଏହାସହ ପଢନ୍ତୁ: ଦିନେ ମୃତ ଭାବି ଅଳିଆଗଦାକୁ ଫିଙ୍ଗି ଦେଇଥିଲେ ଡାକ୍ତର, ଆଜି ସେହି ଶିଶୁ ହେଲେ ‘କୌନ୍ ବନେଗା କରୋଡପତି’ର ବିଜେତା
ଏହି ପ୍ରଶ୍ନର ଠିକ୍ ଉତ୍ତର ଥିଲା ଜହୀର ଦେହଲବୀ। ଆଉ ବବିତା ଏହି ଉତ୍ତର ହିଁ ଦେଇଥିଲେ।
୧ କୋଟି ଟଙ୍କା ଜିତିବା ପରେ ବବିତା ତାଙ୍କ ସ୍ୱାମୀଙ୍କୁ ଭାରତ ଭ୍ରମଣରେ ନେବା ସହ ତାଙ୍କ ଗାଁରେ ଗୋଟିଏ ଶିବ ମନ୍ଦିର ନିର୍ମାଣ କରିବେ ବୋଲି କହିଛନ୍ତି।