କୁନାଲ ଖେମୁଙ୍କୁ ରାସ୍ତା ମଝିରେ ମିଡିଲ୍ ଫିଙ୍ଗର ଦେଖାଇଲେ କାର୍ ଡ୍ରାଇଭର; ଅଭଦ୍ର ଭାଷାରେ କଲେ ଗାଳିଗୁଲଜ! ଅଭିନେତା ବର୍ଣ୍ଣନା କଲେ ପୂରା ଘଟଣା…

ବଲିଉଡ ଅଭିନେତା କୁନାଲ ଖେମୁ, ତାଙ୍କ ସ୍ତ୍ରୀ ସୋହା ଅଲି ଖାନ ଏବଂ ଝିଅ ସହିତ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏ ନେଇ କୁନାଲ ନିଜେ ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ରବିବାର ଜଣେ ବ୍ୟକ୍ତି ମଝି ରାସ୍ତାରେ ତାକୁ ଏବଂ ତାଙ୍କ ପରିବାରକୁ ବିପଦ ମୁହଁକୁ ଠେଲି ଦେଇଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ସେ ସେହି ବ୍ୟକ୍ତିଙ୍କୁ ବିରୋଧ କରିଥିଲେ, ସେତେବେଳେ ସେ ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଅତି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।
କୁନାଲ ଖେମୁ ଇନଷ୍ଟା ଷ୍ଟୋରୀରେ ଏକ କାରର ଫଟୋ ସେୟାର କରି ଏକ ଲମ୍ବା ନୋଟ୍ ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ ଜଣାଇଛନ୍ତି କି, ଜଣେ ବ୍ୟକ୍ତି ତାଙ୍କ ସହିତ କିପରି ଅସଦାଚରଣ କରିଥିଲେ। ନୋଟ୍ରେ କୁନାଲ ଲେଖିଛନ୍ତି, ‘ଆଜି ସକାଳ ୯ଟାରେ ମୁଁ, ମୋ ସ୍ତ୍ରୀ ଓ ଝିଅ ପଡ଼ୋଶୀ ଏବଂ ସେମାନଙ୍କର ଦୁଇ ପିଲାଙ୍କ ସହ ମିଶି ଜଳଖିଆ ପାଇଁ ଜୁହୁ ଯାଉଥିଲୁ। ସେହି ସମୟରେ ରାସ୍ତାରେ ଜଣେ କାର୍ ଡ୍ରାଇଭର ବେପରୁଆ ଭାବରେ ଗାଡି ଚଳାଉଥିଲେ। ସେ ବାରମ୍ବାର ହର୍ନ ବଜାଉଥିଲେ। ଏଥିସହ ମୋ କାରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ’।

ସେ ଆହୁରି ଲେଖିଛନ୍ତି, ‘ସେ ହଠାତ୍ ମୋ କାର ଆଗରେ ବ୍ରେକ୍ ମାରି ତାଙ୍କ କାରକୁ ଅଟକାଇ ଦେଇଥିଲେ। ଏମିତି କରି ସେ କେବଳ ନିଜକୁ ନୁହେଁ, ଆମମାନଙ୍କ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇ ଦେଇଥିଲେ। ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ମୋତେ ଖୁବ୍ ଜୋର୍ରେ ବ୍ରେକ୍ ମାରିବାକୁ ପଡ଼ିଥିଲା। ଏହାପରେ ବ୍ୟକ୍ତି ଜଣକ କାରରୁ ବାହାରି ଆମକୁ ମିଡିଲ୍ ଫିଙ୍ଗର ଦେଖାଇଥିଲେ। ଯେତେବେଳେ ଘଟଣାକୁ ରେକର୍ଡ କରିବା ପାଇଁ ମୁଁ ମୋ ପକେଟରୁ ଫୋନ୍ ବାହାର କରିଥିଲି, ସେତେବେଳେ ସେ ନିଜ ଗାଡ଼ିରେ ବସି ଚାଲି ଯାଇଥିଲେ। ମୁଁ ମୁମ୍ବାଇ ପୋଲିସକୁ ଅନୁରୋଧ କରୁଛି କି, ଏହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ’। ସେପଟେ କୁନାଲ ଖେମୁଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି।