ଡ୍ରଗ୍ସ ଲିଙ୍କକୁ ନେଇ ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ସମନ ପଠାଇଲା ଏନସିବି ଟିମ, ଡିସେମ୍ବର ୧୬ରେ କରାଯିବ ପଚରାଉଚୁରା

ବଲିଉଡ ସହ ଡ୍ରଗ୍ସ ଲିଙ୍କକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଜୋରଦାର ଯାଞ୍ଚ ଜାରି ରଖିଛନ୍ତି । ଆଜି ବଲିଉଡର ଅନ୍ୟତମ ଅଭିନେତା ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ସମନ ଜାରି କରାଯାଇଛି । ଡିସେମ୍ବର ୧୬ ତାରିଖରେ ପଚରା ଉଚୁରା କରିବା ପାଇଁ ଏନସିବି ଟିମ ତାଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଛନ୍ତି । ଏହା ପୂର୍ବରୁ ବି ଥରେ ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲ ଫ୍ରେଣ୍ଡ ଗ୍ରେବିଏଲା ଡେମୋଟ୍ରିଏଡ୍ସଙ୍କୁ ଏନସିବି ଅଫିସରେ ପଚରାଉଚୁରା କରାଯାଇଥିଲା । ଏମିତିକି ନଭେମ୍ବରରେ ଅର୍ଜୁନଙ୍କ ଘରର ତଲାସୀ ନେଇଥିଲେ ଏନସିବିର ଏକ ସ୍ପେଶାଲ ଟିମ । ତଲାସୀ ବେଳେ ତାଙ୍କ ଘରୁ ଲ୍ୟାପଟପ, ମୋବାଇଲ ଫୋନ, ଟାବଲେଟ ଆଦିକୁ ମଧ୍ୟ ଜବତ କରିଥିଲେ ।

ଏହି ସମୟରେ ଅର୍ଜୁନଙ୍କ ଘରୁ ଏମିତି କିଛି ଔଷଧ ମିଳିଥିଲା ଯାହା ଉପରେ ଏନଡିପିଏସ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ଗ୍ରେବିଏଲାଙ୍କ ଭାଇ ଏନସିବି ଦ୍ୱାରା ଗିରଫ ହେବା ପରେ ହିଁ ଅର୍ଜୁନଙ୍କ ନାଁ ସନ୍ଦେହ ଘେରକୁ ଆସିଥିଲା । ଅନ୍ୟପକ୍ଷରେ ମିଡ଼ିଆକୁ ସାକ୍ଷାତ୍କାର ଦେବା ସମୟରେ ଅର୍ଜୁନ କହିଛନ୍ତିକି, “ଡ୍ରଗ୍ସ ସହ ତାଙ୍କର କୌଣସି ସମ୍ପର୍କ ନାହିଁ, ମୋ ଘରୁ ମିଳିଥିବା ଔଷଧର ପ୍ରେସକ୍ରିପସନ ସେ ଏନସିବିକୁ ଦେଇ ସାରିଛନ୍ତି” ।

କହିରଖିବା ଉଚିତ ହେବକି, ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ଏକାଧିକ ବଲିଉଡ ଷ୍ଟାର ମାନଙ୍କୁ ପଚରାଉଚୁରା କରି ସାରିଲେଣି । ଏମିତିକି ନଭେମ୍ବର ୨୧  ତାରିଖରେ କମେଡିଆନ ଭାରତୀ ସିଂହଙ୍କ ଘର ଉପରେ ଏନସିବି ତଲାସୀ କରିବା ସମୟରେ ତାଙ୍କ ଘରୁ କିଛି ପରିମାଣର ଗଂଜେଇ ଜବତ କରିଥିଲେ । ଏନେଇ ଉଭୟ ଭାରତୀ ଓ ହର୍ଷଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.