ପୁନିଥ୍‌ ରାଜକୁମାରଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ତାଙ୍କ ଶେଷ ଫିଲ୍ମ ‘ଜେମ୍ସ’, ପାଓ୍ଵାର ଷ୍ଟାରଙ୍କୁ ମନେ ପକାଇ ଭାବୁକ ହେଲେ ସେଲିବ୍ରିଟି ଓ ପ୍ରଶଂସକ

କନ୍ନଡ଼ର ପାଓ୍ଵାର ଷ୍ଟାର ଦିବଂଗତ ପୁନିଥ୍‌ ରାଜକୁମାରଙ୍କ ପ୍ରଥମ ଜୟନ୍ତୀ ଅବସରରେ ରିଲିଜ୍‌ ହୋଇଛି ତାଙ୍କ ଶେଷ ଫିଲ୍ମ ‘ଜେମ୍ସ’। ମାର୍ଚ୍ଚ ୧୭ରେ ପରଦାକୁ ଆସିଥିବା ଏହି ଫିଲ୍ମରେ ପୁନିଥ୍‌ ଶେଷ ଥର ପାଇଁ ନଜର ଆସିଛନ୍ତି। ଏହି ମୁହୂର୍ତ୍ତ ଥିଲା ତାଙ୍କ ସହ କଳାକାର ଏବଂ ପ୍ରଶଂସକମାନଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ। ଫିଲ୍ମ ‘ଜେମ୍ସ’ ପାଇଁ ସେନ୍ସର ବୋର୍ଡ ତରଫରୁ ୟୁ/ଏ ସାର୍ଟିଫିକେଟ୍‌ ଜାରି କରାଯାଇଥିଲା। ଏଥିରେ ପୁନିଥ୍‌ଙ୍କ ସହ କାମ କରିଥିବା ସରଥକୁମାର, ପାଓ୍ଵାର ଷ୍ଟାରଙ୍କୁ ମନେ ପକାଇ ଭାବବିହ୍ଵଳ ହୋଇ ପଡ଼ିଛନ୍ତି। ସେ ସୋସିଆଲ ମିଡିଆ ଜରିଆରେ ନିଜ ଭାବନା ବ୍ୟକ୍ତ କରିଛନ୍ତି।

ସରଥକୁମାର ଟ୍ଵିଟରରେ ନିଜର ଏବଂ ପୁନିଥ୍‌ଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘କାଲି ଅପ୍ପୁଭାରୁଙ୍କ ଜନ୍ମଦିନ ଏବଂ ଜେମ୍ସର ରିଲିଜ୍‌। ମୋ ପାଖରେ କୌଣସି ଶବ୍ଦ ନାହିଁ ଏବଂ ମୋ ମୁଣ୍ଡ ମଧ୍ୟ କାମ କରୁନାହିଁ। ମୁଁ ଭ୍ରମିତ ଯେ ଜେମ୍ସର ରିଲିଜ୍‌ରେ ଖୁସି ହେବି ନା ଦୁଃଖୀ। କାହିଁକି ନା, ସେ ସ୍ୱର୍ଗରେ ଅଛନ୍ତି’। ସେହିପରି ସାଉଥ୍‌ ସୁପରଷ୍ଟାର ମୋହନଲାଲ ମଧ୍ୟ ପୁନିଥ୍‌ଙ୍କୁ ମନେ ପକାଇଛନ୍ତି। ସେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ପ୍ରିୟ ପୁନିଥ୍‌, ମୋର ବିଶ୍ୱାସ ଯେ ଆପଣଙ୍କ ଫିଲ୍ମ ଜେମ୍ସ ବହୁତ ଭଲ ହେବାକୁ ଯାଉଛି’।

କହି ରଖୁଛୁ, ଲକ୍ଷ ଲକ୍ଷ ହୃଦୟରେ ରାଜ୍‌ କରିଥିବା ପାଓ୍ଵାର ଷ୍ଟାର ପୁନିଥ୍‌ ରାଜକୁମାର ୨୦୨୧ରେ ହଠାତ୍‌ ଦୁନିଆକୁ ଅଲ୍‌ବିଦା କହିଥିଲେ। ଏହି ଖବର ସିନେମା ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଥିଲା। ପୁନିଥ୍‌ଙ୍କ ଦେହାନ୍ତକୁ ପାଖାପାଖି ୫ ମାସ ବିତି ଗଲାଣି, କିନ୍ତୁ ଆଜି ବି ତାଙ୍କ ସ୍ମୃତି ଲୋକଙ୍କ ହୃଦୟରେ ତାଜା ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.