‘କଚା ବାଦାମ’ ଗୀତକୁ ଏମିତି ଗାଇଲେ ରାନୁ, ମୁଣ୍ଡ ପିଟିଲେ ଲୋକେ! କହିଲେ, ‘ବାସ୍‌, ସେତିକି ଥାଉ, ଆଉ ଗାଅ ନାହିଁ’; ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି। ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି। ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି। ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି। ଏବେ ଏହି ଗୀତକୁ ରାନୁ ମଣ୍ଡଳ ନିଜ ଷ୍ଟାଇଲରେ ଗାଇଛନ୍ତି, ଯାହାକୁ ଶୁଣି ଲୋକମାନେ ନିଜ ମୁଣ୍ଡ ପିଟୁଛନ୍ତି। ରାନୁଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘କଚା ବାଦାମ’ ଗୀତ ଗାଉଥିବାର ନଜର ଆସିଛନ୍ତି।

ରାନୁ ମଣ୍ଡଳଙ୍କୁ ଉପହାସ କଲେ ଲୋକେ

‘କଚା ବାଦାମ’ ଗୀତ ଗାଇ ରାନୁ ମଣ୍ଡଳ ଲୋକଙ୍କଠାରୁ ପ୍ରଶଂସ ତ ପାଇପାରି ନାହାନ୍ତି, କିନ୍ତୁ ଜବରଦସ୍ତ ଟ୍ରୋଲର ଶିକାର ହୋଇଛନ୍ତି। ଭିଡିଓ ସାମ୍ନାକୁ ଆସିବା କ୍ଷଣି ଲୋକମାନେ ତାଙ୍କୁ ଥଟ୍ଟା, ପରିହାସ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଓମ୍ ଶାନ୍ତି ବାଦାମ। ଆଉ ଜଣେ ଲେଖିଛନ୍ତି, ଏହା କ’ଣ? ସେହିପରି କେହି କେହି କମେଣ୍ଟ କରିଛନ୍ତି, ଏହା କଚା ବାଦାମ ନୁହେଁ, କଞ୍ଚା ବଦନାମ୍‌। ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ ବାରମ୍ବାର ହିମେଶ ରେଶମିୟା ଭୁଲ୍ କରିବେ ନାହିଁ। କିଛି ଲୋକ କହିଥିଲେ, ବାସ୍‌, ସେତିକି ଥାଉ, ଆପଣଙ୍କ ଦ୍ୱାରା ହୋଇପାରିବ ନାହିଁ।

ଏହା ବ୍ୟତୀତ ୟୁଜରମାନେ ରାନୁ ମଣ୍ଡଳଙ୍କର ଏହି ଭିଡିଓରେ ଲାଫିଙ୍ଗ୍‌ ଇମୋଜି ସେୟାର କରିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୬ ହଜାରରୁ ଅଧିକ ଭ୍ୟୁ ମିଳି ସାରିଲାଣି। କମେଣ୍ଟ ବକ୍ସରେ ଲୋକମାନେ ଅଧିକ ମାତ୍ରାରେ ରାନୁଙ୍କୁ ଟ୍ରୋଲ କରିଛନ୍ତି। ଏଥି ପୂର୍ବରୁ ରାନୁ ସହଦେବ ଦରନ୍ଦୋଙ୍କ ଗୀତ ‘ବଚପନ୍‌ ନା ପ୍ୟାର’ ଗାଇଥିଲେ। ସେହି ସମୟରେ ମଧ୍ୟ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା।

କହି ରଖୁଛୁ ଯେ କିଛି ବର୍ଷ ତଳେ ରାନୁ ମଣ୍ଡଳ ରେଳ ଷ୍ଟେସନରେ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଉଥିବାର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଲୋକମାନେ ରାନୁଙ୍କ ସ୍ୱରକୁ ବହୁତ ପସନ୍ଦ କରିଥିଲେ। ଏହାପରେ ତାଙ୍କୁ ଏକ ରିୟାଲିଟି ସିଙ୍ଗିଙ୍ଗ୍‌ ଶୋ’କୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଠି ଗାୟକ ତଥା କମ୍ପୋଜର ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ପରେ ରାନୁ ହିମେଶଙ୍କ ସହ ମିଶି ‘ତେରୀ ମେରୀ କାହାନୀ’ ଗୀତ ଗାଇଥିଲେ। ଆଉ ଏହା ବେଶ୍ ଲୋକପ୍ରିୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.