ପରଲୋକରେ ‘ହ୍ୟାରି ପୋଟର୍’ର ହାଗ୍ରିଡ୍, ୭୨ ବର୍ଷରେ ଅଭିନେତା ରୋବି କୋଲଟ୍ରେନଙ୍କର ଦେହାନ୍ତ

ହଲିଉଡ୍‌ର ଫିଲ୍ମ ସିରିଜ୍ ‘ହ୍ୟାରି ପୋଟର୍’ରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ରୋବି କୋଲଟ୍ରେନଙ୍କ ଦେହାନ୍ତ ହୋଇଛି। ରୋବିଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଦୁଃଖଦ ଖବର ଦେଇଛନ୍ତି। ଗତ କିଛି ଦିନ ହେବ ସ୍ଵାସ୍ଥ୍ୟସମସ୍ୟା ଥିବାରୁ ଅସୁସ୍ଥ ଥିଲେ। ଯେଉଁଥିପାଇଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସେଠାରେ ସେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଏଜେଣ୍ଟ ବେଲିଣ୍ଡା ରାଇଟ୍ ଏକ ବିବୃତ୍ତିରେ କହିଛନ୍ତି ଯେ ସ୍କଟଲ୍ୟାଣ୍ଡର ଫାଲ୍କିର୍କ ନିକଟସ୍ଥ ଏକ ଡାକ୍ତରଖାନାରେ ରୋବି କୋଲଟ୍ରେନଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଏକ ବିବୃତ୍ତିରେ ବେଲିଣ୍ଡା ରୋବି କୋଲଟ୍ରେନଙ୍କୁ ଏକ ଅନନ୍ୟ ପ୍ରତିଭା ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ହାଗ୍ରିଡ୍ ଭାବରେ ତାଙ୍କର ଭୂମିକାକୁ ନେଇ ବିଶ୍ୱରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସ୍ମରଣ କରିବେ। ସେ ଲେଖିଛନ୍ତି, ‘ମୁଁ ତାଙ୍କୁ ଜଣେ ସଚ୍ଚୋଟ ଗ୍ରାହକ ଭାବରେ ମନେ ରଖିବି। ସେ ଜଣେ ମହାନ ଅଭିନେତା ଥିଲେ। ସେ ବହୁତ ବୁଦ୍ଧିମାନ ଏବଂ ମଜାଳିଆ ବ୍ୟକ୍ତି ଥିଲେ। ମୁଁ ୪୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ଏଜେଣ୍ଟ ଥିଲି ଏବଂ ଏଥିପାଇଁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ମୁଁ ତାଙ୍କୁ ବହୁତ ମନେ ପକାଇବି।

ରୋବି କୋଲଟ୍ରେନଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ‘ହ୍ୟାରି ପୋଟର୍’ଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ଆସିବା ଆରମ୍ଭ କରିଛି। ସମସ୍ତେ ସେମାନଙ୍କର ପ୍ରିୟ ହାଗ୍ରିଡଙ୍କୁ ହରାଉଛନ୍ତି। ପ୍ରଶଂସକମାନଙ୍କ ପାଇଁ ଏହା ଏକ ଯୁଗର ଅବସାନ ପରି। ଟ୍ୱିଟରରେ #ରୋବି କୋଲଟ୍ରେନ ଟ୍ରେଣ୍ଡ କରୁଛି । ପ୍ରଶଂସକମାନେ ଅଭିନେତାଙ୍କ ସ୍ମୃତିରେ ମର୍ମାହତ।

ହ୍ୟାରି ପୋଟର ଲେଖିକା ଜେକେ ରାଉଲିଙ୍ଗ ମଧ୍ୟ ଟ୍ୱିଟରରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଉଲିଙ୍ଗ କୋଲଟ୍ରନଙ୍କୁ ଏକ ଅବିଶ୍ୱାସନୀୟ ପ୍ରତିଭା ଭାବରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, “ମୁଁ ରୋବିଙ୍କ ପରି ଆଉ କାହାକୁ ଏପରି ଜାଣି ପାରିବି ନାହିଁ। ସେ ଜଣେ ଅବିଶ୍ୱସନୀୟ ପ୍ରତିଭା ଥିଲେ। ମୁଁ ତାଙ୍କୁ ଜାଣିବା, ତାଙ୍କ ସହ କାମ କରିବା ଏବଂ ତାଙ୍କ ସହ ହସିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ତାଙ୍କର ସମସ୍ତ ପିଲା ଏବଂ ସେମାନଙ୍କ ପରିବାର ପ୍ରତି ମୋର ପ୍ରେମ ଏବଂ ଗଭୀର ସମବେଦନା ଜଣାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.