ଆସିଲା ସୁଶାନ୍ତଙ୍କ ଫରେନ୍ସିକ ରିପୋର୍ଟ, ହତ୍ୟା କରାଯାଇ ନାହିଁ ହୁଏତ ସେ ଆତ୍ମହତ୍ୟା କରିଥାଇ ପାରନ୍ତି !

ତିନି ମାସରୁ ଅଧିକ ହେଲାଣି ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା। ହେଲେ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିପାରିନାହିଁ। ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ। ଏ ନେଇ ଦେଶର ଜଣାଶୁଣା ବଡ ତିନିଟି ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ କଥା ସାମ୍ନାକୁ ଆସିପାରି ନାହିଁ। ଏ ମଧ୍ୟରେ ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ବିଷୟରେ ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ, ସୁଶାନ୍ତଙ୍କୁ ହତ୍ୟା ଉଦ୍ୟମ କରାଯାଇ ନାହିଁ, ସେ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ସ ମେଡିକାଲ୍ ବୋର୍ଡ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ୍ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିବିଆଇ ସହ ସେୟାର କରିଥିଲା।

sushnta 1

ଏମ୍ସର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ। ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ପ୍ରବର୍ତ୍ତାଇଥିଲେ କି? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ। ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି, ଯାହାର ତଦନ୍ତ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନ ବିଷୟରେ କହିବାକୁ ଗଲେ, ଏହି ମାମଲାରେ ତଦନ୍ତ ପାଇଁ ସିବିଆଇ ୨୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ସ୍ଥିତ ଘରୁ ପୋଲିସ ଉଦ୍ଧାର କରିଥିଲା। ତା’ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା। ଦୀର୍ଘ ତିନି ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କିଛି ବି ଖୁଲାସା ହୋଇପାରୁନାହିଁ।