ସକାଳର ସ୍ବାଦକୁ ତାଜା କରିବା ପାଇଁ ଆଜି ହିଁ ଘରେ ବନାନ୍ତୁ ସ୍ପାଇସି ଚଟପଟା କାବୁଲି ଚଣା ଚାଟ

ସାଧାରଣତଃ ସକାଳ ହେବା ମାତ୍ରେ ଟିଫିନ କଣ ପ୍ରସ୍ତୁତ କରାଯିବ ସେନେଇ ଅଧିକାଂଶ ମହିଳା ଚିନ୍ତାରେ ରହିଥାନ୍ତି । କାରଣ ପିଲାମାନଙ୍କର ଓ ବଡ ମାନଙ୍କର ସ୍ୱାଦ ଏକାଭଳି ହୋଇନଥାଏ । ପିଲାମାନେ କିଛି ୟୁନିକ ଖାଇବାକୁ ପସନ୍ଦ କରୁଥିବା ବେଳେ ବଡ଼ମାନେ କିଛି ହେଲଦି ଖାଇବାକୁ ପସନ୍ଦ କରିଥାନ୍ତି । କଣ ଆପଣ ବି ସକାଳର ଜଳଖିଆକୁ ନେଇ ଦ୍ଵନ୍ଦରେ ପଡି ଯାଇଛନ୍ତି କି ? ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏପରି ୟୁନିକ ଆଉ ହେଲଦି ଖାଇବା ଯାହା ପିଲାମାନଙ୍କ ସଙ୍ଗେସଙ୍ଗେ ବଡ଼ ମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ। ତାହେଲେ ଆସନ୍ତୁ ଜାଣିବା ୟୁନିକ ସ୍ଵାଦରେ ଭରା କାବୁଲି ଚଣା ଚାଟ ପ୍ରସ୍ତୁତ କରିବା ପ୍ରଣାଳୀ ।

କାବୁଲି ଚଣା ଚାଟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

୨୦୦ ଗ୍ରାମ କାବୁଲି ଚଣା ବା ଛୋଲେ, ୫୦ ଗ୍ରାମ ମଟର ଦାନା, ଗୋଟିଏ ପିଆଜ, ୨ଟି କଞ୍ଚାଲଙ୍କା, ୨ ଚାମଚ ତେଲ, ୨ ପାଖୁଡା ରସୁଣ, ବିରି ଡାଲି ୧ ଚାମଚ, ୧ ଚାମଚ ଲେମ୍ବୁରସ, ଅଳ୍ପକିଛି ଭୃସଙ୍ଗ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

ସ୍ୱାଦିଷ୍ଟ କାବୁଲି ଚଣା ଚାଟ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଚଣା ବା ଛୋଲେକୁ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହାପରେ ଟିକିଏ ସୋଡ଼ା ଓ ଲୁଣ ପକାଇ ସେହି ଚଣାକୁ ସିଝାଇ ଦିଅନ୍ତୁ । ବର୍ତ୍ତମାନ ମଟରକୁ ଗରମ ପାଣିରେ ପକାଇ ଗୋଟିଏ କିମ୍ବା ଦୁଇଟି ସିଟି ଲଗାଇ ଆଞ୍ଚ ବନ୍ଦ କରିଦିଅନ୍ତୁ । ତାପରେ ସେଥିରୁ ସବୁ ପାଣି ବାହାର କରିଦିଅନ୍ତୁ । ବର୍ତ୍ତମାନ ପିଆଜ ଏବଂ କଞ୍ଚାଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ସୋରିଷ ଓ ବିରିଡାଲି ପକାଇ ଭାଜନ୍ତୁ l ତାପରେ ସେଥିରେ କଞ୍ଚାଲଙ୍କା ଓ ଭୃଷଙ୍ଗପତ୍ର ପକାଇ ଫ୍ରାଏ କରନ୍ତୁ । ଆଉ ତାପରେ ଏଥିରେ ପିଆଜ ପକାଇ ଅଳ୍ପଟିକେ ଭାଜି ଦିଅନ୍ତୁ । ଶେଷରେ ଏଥିରେ ଚଣା ଓ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ l ତାପରେ ଏକ ପ୍ଲେଟକୁ କାଢି ସେଥିରେ ଲେମ୍ବୁରସ, ଧନିଆ ପତ୍ର ଏବଂ କଞ୍ଚାଲଙ୍କା ପକାଇ ଖାଇବାକୁ ଦିଅନ୍ତୁ ସ୍ୱାଦିଷ୍ଟ କାବୁଲି ଚଣା ଚାଟ ।