Below header

Parenting Tips: ଛୋଟ ଛୁଆଙ୍କୁ ଏହି ସବୁ ଜିନିଷଠୁ ରଖନ୍ତୁ ଦୂରେଇ, ଗଳାରେ କିଛି ଅଟକିଗଲେ ତୁରନ୍ତ ଆପଣାନ୍ତୁ ଘରୋଇ ଉପଚାର

ଛୋଟ ଛୁଆଙ୍କୁ ଏନର୍ଜି ବଲ୍‌ କୁହାଯାଇଥାଏ। ସେମାନେ ପ୍ରତ୍ୟେକ ନୂଆ ଜିନିଷକୁ ନେଇ ଉତ୍ସାହିତ ଥାଆନ୍ତି। ପିଲାଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ସମ୍ଭବ ହୋଇ ନ ଥାଏ ଏବଂ ଏଥିପାଇଁ କେବେ କେବେ ଏମିତି କିଛି ଭୁଲ୍‌ ହୋଇଯାଏ, ଯଦ୍ଦ୍ଵାରା ପ୍ୟାରେଣ୍ଟସ୍‌ଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। ପ୍ରତ୍ୟେକ ଛୁଆ ଜଣେ ଜଣଙ୍କଠୁ ଅଲଗା। ଏଣୁ ପ୍ୟାରେଣ୍ଟିଙ୍ଗ୍‌ ନିୟମ ବି ସମସ୍ତଙ୍କ ପାଇଁ ଅଲଗା ହୋଇଥାଏ।

ଅନେକ ସମୟରେ ଦେଖାଯାଏ, ଛୋଟ ଛୁଆ ସାମ୍ନାରେ ଯେ କୌଣସି ଜିନିଷ ଦେଖିଲେ ତା’ ଆଡ଼କୁ ଆକର୍ଷିତ ହୋଇଯାଆନ୍ତି। ମାଆ, ବାପାଙ୍କ ନଜର ପଡ଼ିବା ପୂର୍ବରୁ ହିଁ ସେମାନଙ୍କ ମୁହଁରେ ଜିନିଷଟି ଚାଲିଯାଇଥାଏ। ଏହି ସମୟରେ ପିଲାମାନେ ଜାଣିପାରନ୍ତି ନାହିଁ କି, ସେ ପାଟିରେ ନେଉଥିବା ଜିନିଷ କେତେ ବଡ଼ କିମ୍ବା କେତେ ଛୋଟ ହୋଇଥାଏ।

ଅନେକ ବାର ଧ୍ୟାନ ଦେବା ସତ୍ତ୍ୱେ ପିଲାଙ୍କ ଗଳାରେ ବିଭିନ୍ନ ଖାଦ୍ୟ ଜିନିଷ ଅଟକି ଯାଇଥାଏ। ଏହି କାରଣରୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ସେମାନେ କାଶିବା ଏବଂ ଛିଙ୍କିବା ଆରମ୍ଭ କରି ଦିଅନ୍ତି। ତେଣୁ ଯେତେ ସମ୍ଭବ ପିଲାଙ୍କୁ ରୋଷେଇ ଘର କିମ୍ବା ଖାଦ୍ୟ ଜିନିଷ ଆଖପାଖରେ ଛାଡ଼ନ୍ତୁ ନାହିଁ। କୌଣସି କାରଣ ବଶତଃ ଗଳାରେ ଯଦି କିଛି ଅଟକିଯାଏ, ତେବେ ଡେରି ନ କରି ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ। ନହେଲେ କିଛି ଘରୋଇ ଉପଚାର ମଧ୍ୟ ଆପଣ ଆପଣାଇ ପାରିବେ। ଆଜି ଆମେ ଏ ବିଷୟରେ କିଛି ଟିପ୍ସ ଦେବୁ।

୧. ପିଲାର ଗଳାରେ କିଛି ଅଟକିଗଲେ ଡରି ଯାଆନ୍ତୁ ନାହିଁ। ବଡ଼ ଜୋର୍‌ରେ ପାଟି ନ କରି ଶାନ୍ତି ତଥା ଧୀରସ୍ଥିରରେ କାମ କରନ୍ତୁ।

୨. ପିଲାକୁ କୋଳରେ ନେଇ ବସାନ୍ତୁ। ଏହାପରେ ପିଲାର ମୁହଁକୁ ତଳ ଆଡ଼କୁ କରି ତାକୁ ନିଜ ଜଙ୍ଘ ଉପରେ ପେଟାଇ ଦିଅନ୍ତୁ। ଏହି ସମୟରେ ତା’ର ମୁଣ୍ଡ ଏବଂ ବେକକୁ ଭଲ ଭାବେ ସପୋର୍ଟ ଦିଅନ୍ତୁ। ଧ୍ୟାନ ରଖନ୍ତୁ କି, ପିଲାର ମୁଣ୍ଡ ଯେପରି ତଳକୁ ନ ହେବ।

୩. କାନ୍ଧ ମଝିଆ ମଝି ପିଲାର ପିଠି ଉପରେ ନିଜ ହାତ ପାପୁଲିରେ ହାଲୁକା ଭାବେ ଥାପନ୍ତୁ। ଏହାଦ୍ୱାରା ଗଳାରେ ଅଟକିଥିବା ଜିନିଷ ବାହାରି ଆସିବ।

୪. ଯଦି ଏମିତି ବାହାରୁନି, ତା’ହେଲେ ପିଲାକୁ ସିଧା ଶୁଆନ୍ତୁ। ନିଜର ଦୁଇଟି ଆଙ୍ଗୁଳି ସାହାଯ୍ୟରେ ପିଲାର ଛାତିକୁ ହାଲୁକା ହାଲୁକା ଦବାନ୍ତୁ। ଅଧିକ ଜୋର୍‌ରେ ଦବାନ୍ତୁ ନାହିଁ। ଏହି ପ୍ରକ୍ରିୟାକୁ ୫-୫ ଥର ଦୋହରାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.