କରୋନା ବନାମ ଭୋକ ଲଢେଇ : ୧୦୦ କିମି ଚାଲିଆସିବା ପରେ ଘରଠାରୁ ମାତ୍ର ୧୪ କିମି ବାଟରେ ଚାଲିଗଲା ବାଳିକାର ଜୀବନ

ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଛି । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାରୁ ସମସ୍ତେ ହାତବନ୍ଧି ବସିଛନ୍ତି । ଏହି କାରଣରୁ ଅନେକ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ ଜୀବନଜୀବିକା ହରାଇଛନ୍ତି । ବଡ ସହରରେ ରହୁଥିବା ଲୋକେ ନିଜ ଗ୍ରାମକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ଲକଡାଉନ ଯୋଗୁଁ ଫେରିପାରୁନାହାନ୍ତି । ଏହି ଲକଡାଉନ ହାତରୁ କାମ ଛଡାଇ ନେଇଥିବା ବେଳେ ମୁଠାଏ ଦାନା ପାଇଁ ସଂଘର୍ଷ କରୁଥିବା ଲୋକର ଜୀବନ ମଧ୍ୟ ଚାଲିଯାଉଛି । ଏପରି ଏକ ହୃଦୟ ବିଦାରଣ ଘଟଣା ସାମ୍ନାକୁ ଆସିଛି । ଭୋକ କଷ୍ଟ ମେଣ୍ଟାଇବା ପାଇଁ ନିଜ ଗ୍ରାମକୁ ଚାଲିଚାଲି ଆସୁଥିବା ବେଳେ ବାଟରେ ମୃତ୍ୟୁବରଣ କରିଛି ୧୨ ବର୍ଷର ବାଳିକା ।

ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନାର ପେରୁର ଗ୍ରାମରେ କାମ କରୁଥିବା ଜଣେ ୧୨ ବର୍ଷର ବାଳିକା ଜମାଲୋ ମଡକାମ କାମ ନ ମିଳିବା କାରଣୁ ନିଜ ଗ୍ରାମକୁ ଚାଲିଚାଲି ଆସିବାକୁ ବାଧ୍ୟ ହୋଇଥିଲା । ବାଳିକା ଜଣକ ତିନି ଦିନ ଭିତରେ ପାଖାପାଖି ୧୦୦ କିମି ବାଟ ଚାଲି ଆସିବା ପରେ ଦେହ ଅସୁସ୍ଥ ହେବାକୁ ଲାଗିଥିଲା । ତାଙ୍କ ସହି ଗାଁର ଆଉ ୧୩ ଜଣ ଲୋକ ରହିଥିଲେ । ବାଟରେ ଜଙ୍ଗଲୀ ରାସ୍ତା ପଡିଥିବାରୁ କୌଣସି ପ୍ରକାର ଚିକିତ୍ସା ମିଳିପାରିନଥିଲା । ଏତେ ବାଟ ଚାଲିଆସିବା ବେଳେ ଘରଠାରୁ ମାତ୍ର ୧୪ କିମି ଦୂରରେ ପିଲାଟିର ପ୍ରାଣ ଚାଲିଯାଇଥିଲା ।

ପିଲାର ମୃତ୍ୟୁ ପରେ ପ୍ରଶାସନ ଟିମ୍‍ ଗ୍ରାମରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପରେ ୧୧ ଜଣକୁ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ସହିତ ଲଢେଇ ଜାରି ରହିଥିବା ବେଳେ ଲକଡାଉନ ଯୋଗୁଁ ଏମିତି ବହୁତ ଶ୍ରମିକ ଜୀବନ ଚାଲିଯାଉଛି । ଏହି ଦୁଃଖଦ ଘଟଣା ଖଟିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ ଜମାଲୋଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.