ଭାରତ ବାୟେଟେକ୍ର କୋଭିଡ଼ ଟିକା କୋଭାକ୍ସିନ୍ର ଆସିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ, ୮୧ ପ୍ରତିଶତ ପ୍ରଭାବୀ କୋଭାକ୍ସିନ୍
କେନ୍ୟୁଜ୍(ବ୍ୟୁରୋ): ୮୧ ପ୍ରତିଶତ ପ୍ରଭାବୀ କୋଭାକ୍ସିନ୍ । ଭାରତ ବାୟେଟେକ୍ର କରୋନା ଭାଇରସ୍ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ଆସିଛି। ଏହି ଟିକା ୮୧ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡ଼ିଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରିଟିଶ ଷ୍ଟ୍ରେନ୍ ବିରୋଧରେ ମଧ୍ୟ କାମ କରିବ କୋଭାକ୍ସିନ୍ । ତୃତୀୟ ପର୍ଯ୍ୟାୟରେ ୨୫ ହଜାର ୮୦୦ ଲୋକଙ୍କ ଉପରେ ପରୀକ୍ଷଣ ହୋଇଥିଲା। ଏହାର ନିରୀକ୍ଷଣ ଅନୁସାରେ କରୋନା ମୁକାବିଲା କରିବାରେ କୋଭାକ୍ସିନ ୮୧ ପ୍ରତିଶତ ସଫଳ ହୋଇଥିବା ଦର୍ଶାଯାଇଛି।
ଭାରତ ବାୟୋଟେକ୍ ଓ ଆଇସିଏମ୍ଆର ମିଳିତ ଉଦ୍ୟମରେ ବିକଶିତ ହୋଇଛି କୋଭାକ୍ସିନ୍ । ଦେଶର ଟିକାକରଣରେ ସାମିଲ ଅଛି କୋଭାକ୍ସିନ୍ । ଅନ୍ୟ ଦେଶକୁ କୋଭାକ୍ସିନ୍ ଯୋଗାଉଛି କମ୍ପାନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଭାକ୍ସିନର ପ୍ରଥମ ଡୋଜ ନେଇ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଦେଶରେ ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି କୋଭିଡ ଟିକା ପ୍ରଦାନ କରାଯାଉଛି ।