କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କ୍ୟାନ୍ସର ରୋଗୀଙ୍କର ହେବ ପିଇଟି ସିଟି ସ୍କାନ
କଟକ(କେନ୍ୟୁଜ୍): ଖୁବ ଶୀଘ୍ର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କ୍ୟାନ୍ସର ରୋଗୀଙ୍କର ହେବ ପିଇଟି ସିଟି ସ୍କାନ। ଏହାସହ ରାଜ୍ୟର ଅନ୍ୟ ସରକାରୀ ଚିକିତ୍ସାଳୟରେ ମଧ୍ୟ ଖୁବଶୀଘ୍ର ଏହି ଟେଷ୍ଟ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏହା କୁହାଯାଇଛି। କ୍ୟାନ୍ସର ରୋଗୀଙ୍କର ପିଇଟି ସିଟି ସ୍କାନ କର୍କଟ କେନ୍ଦ୍ର ସହ ରାଜ୍ୟର ଅନ୍ୟ ସରକାରୀ ଚିକିତ୍ସାଳୟରେ କି ବ୍ୟବସ୍ଥା କରାଯାଇଛି ସେନେଇ ସତ୍ୟପାଠ ଦ୍ୱାରା ଜଣାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡା ହସ୍ପିଟାଲରେ ମଧ୍ୟ ଏହି ଚିକିତ୍ସା ଉପଲବ୍ଧ ହେବ ବୋଲି କୁହାଯାଇଛି। ତେବେ କେବେ ସୁଦ୍ଧା ଏହା ଉପଲବ୍ଧ ହେବ ସେ ସମ୍ପର୍କରେ ଏପ୍ରିଲ ୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଏପ୍ରିଲ ୨୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପିଇଟି ସିଟି ସ୍କାନ୍ ମେସିନ୍ ନଥିବାରୁ କ୍ୟାନସର ରୋଗୀମାନେ ବାହାରେ ଘରୋଇ ହସ୍ପିଟାଲ ଓ ପ୍ରତିଷ୍ଠାନରେ ଅଧିକ ଖର୍ଚ୍ଚାନ୍ତ ହୋଇ ପିଇଟି ସିଟି ସ୍କାନ କରାଉଛନ୍ତି। ଏଭଳି ଅଭିଯୋଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟରେ ଜଣେ କ୍ୟାନ୍ସର ରୋଗୀ ଅନିତା ବୁଦ୍ଧିଆଙ୍କ ପକ୍ଷରୁ ଏନେଇ ଜନସ୍ୱାର୍ଥ ମାମଲା ଆବେଦନ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଡିଏମଇଟି ଓ ଆଚାର୍ୟ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।