୨୦୧୯ରେ ମୋଦିଙ୍କୁ ଦିଅନ୍ତୁ ଭୋଟ୍ , ବିବାହ କାର୍ଡରେ ଅତିଥୀଙ୍କୁ ମାଗିଲେ ନିଆରା ଉପହାର

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଯାହାକୁ ନେଇ ବଢିଚାଲିଛି ରାଜନୈତିକ ଉଷ୍ମତା । ଭିନ୍ନ ଭିନ୍ନ ଉପାୟରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇସାରିଲାଣି । ସମର୍ଥକମାନେ ନିଜ ପସନ୍ଦର ନେତା ଏବଂ ଦଳ ସମ୍ପର୍କରେ ସୋସିଆଲ୍ ମିଡିଆରେ ଖବର ସେୟାର୍ କରୁଛନ୍ତି । ଏବେ ସେମିତି ଏକ ବିବାହ କାର୍ଡ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଅତିଥୀଙ୍କୁ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭୋଟ୍ ଦେବାକୁ ଅପିଲ୍ କରାଯାଇଛି । ଅତିଥୀଙ୍କୁ ଉପହାର ସ୍ୱରୂପ ମୋଦିଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ପରିବାର ଲୋକ ।
ସୂଚନା ଅନୁସାରେ, ଏହି ନିମନ୍ତ୍ରଣ କାର୍ଡ ହେଉଛି ଗୁଜୁରାଟର ସୁରତ ନିବାସୀ ଜୟସିଘାନିଆ ପରିବାରର । ଚଳିତ ମାସ ୧ ତାରିଖରେ ଜୟସିଘାନିଆ ପରିବାରର ପୁଅ ଧବଲଙ୍କ ବିବାହ ହୋଇଛି । ଏହି କାର୍ଡରେ ମୋଦିଙ୍କୁ ଭୋଟ୍ ଦେବାକୁ ଅପିଲ୍ ହୋଇଥିବା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
କେବଳ ଗୁଜୁରାଟରେ ନୁହେଁ, କର୍ଣ୍ଣାଟକରେ ମଧ୍ୟ ଏକ ବିବାହ କାର୍ଡ ଭାଇରାଲ ହୋଇଛି, ଯେଉଁଥିରେ କି ବିଜେପିକୁ ଭୋଟ ଦେବାକୁ ଅତିଥିଙ୍କୁ ନିବେଦନ କରାଯାଇଛି । ମାଙ୍ଗାଲୋରର ଏକ ପରିବାର ଆଗାମୀ ଫେବୃଆରୀ ୧୦ ରେ ହେବାକୁ ଥିବା ବିବାହ ପାଇଁ ନିମନ୍ତ୍ରଣ ଛପାଇଛନ୍ତି । ବିବାହ କାର୍ଡ଼ର ତଳେ ଲେଖାଯାଇଛି ଯେ, ଆମର ଉପହାର ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆପଣଙ୍କ ଭୋଟ ।