Below header

ଦିଲ୍ଲୀ: ସକାଳୁ ସାନ ଭଉଣୀ ସହିତ ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ଏସିଡ୍‌ ମାଡ଼; ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି, ୨ ଅଭିଯୁକ୍ତ ଫେରାର୍‌

ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ଏହି ଘଟଣା ଦିଲ୍ଲୀର ଦ୍ୱାରକା ମୋଡ ଅଞ୍ଚଳରେ ସକାଳ ପ୍ରାୟ ୯ଟା ସମୟରେ ଘଟିଛି। ଆହତ ଛାତ୍ରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଯୁବକଙ୍କର ପୂର୍ବରୁ ଛାତ୍ରୀଙ୍କ ସହ ଚିହ୍ନା ପରିଚୟ ଥିଲା। ପୀଡ଼ିତା ଦ୍ୱାଦଶ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ଯେତେବେଳେ ସେ ସ୍କୁଲ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଥିଲେ।

ଏହି ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କହିଛି, ଦ୍ୱାରକା ଅଞ୍ଚଳରେ ଜଣେ ଯୁବକ ୧୭ ବର୍ଷୀୟା ଛାତ୍ରୀଙ୍କ ଉପରେ ଏସିଡ୍‌ ଫିଙ୍ଗିଛନ୍ତି। ଘଟଣା ସକାଳ ୯ଟାରେ ଘଟିଛି। ଛାତ୍ରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ରେଫର କରାଯାଇଛି। ପୋଲିସ ଅଧିକାରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି।

ପୋଲିସ ସୂଚନା ମୁତାବକ, ଘଟଣା ସମୟରେ ଛାତ୍ରୀ ଜଣକ ନିଜ ସାନ ଭଉଣୀ ସହିତ ଥିଲେ। ଏ ନେଇ ସେ ନିଜର ୨ ପରିଚିତ ଲୋକଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ପୋଲିସ କହିଛି, ସକାଳ ପ୍ରାୟ ୯ଟାରେ PCRକୁ କଲ୍ ଆସିଥିଲା। ସେପଟୁ କୁହାଯାଇଥିଲା କି, ୧୭ ବର୍ଷୀୟା ଜଣେ ଛାତ୍ରୀଙ୍କ ଉପରେ ଦୁଇ ବାଇକ୍ ଆରୋହୀ ଏସିଡ୍ ପରି କୌଣସି ପଦାର୍ଥ ଫିଙ୍ଗି ଆକ୍ରମଣ କରିଛନ୍ତି। ତେବେ ପୋଲିସ ସୂଚନା ଅନୁସାରେ, ବର୍ତ୍ତମାନ ପୀଡ଼ିତାଙ୍କର ଚିକିତ୍ସା ଚାଲିଛି ଏବଂ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ସେପଟେ ଏହି ଘଟଣା ସମ୍ପର୍କରେ ପୀଡିତାଙ୍କ ମା’, ବାପା କହିଛନ୍ତି, ଛାତ୍ରୀ ଜଣକ ୧୭ ବର୍ଷୀୟା ନାବାଳିକା। ସେ ନିଜ ସାନ ଭଉଣୀ ସହିତ ସକାଳ ୭ଟା ୨୯ ମିନିଟ୍‌ରେ ଘରୁ ସ୍କୁଲ ଯିବା ପାଇଁ ବାହାରିଥିଲା। ଘରଠାରୁ କିଛି ଦୂର ଯିବା ପରେ ମୁଖା ପିନ୍ଧା ଦୁଇ ବାଇକ୍‌ ଆରୋହୀ ଆସି ପୀଡିତାଙ୍କ ମୁହଁରେ ଏସିଡ୍ ଫିଙ୍ଗିଥିଲେ ଏବଂ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ।

ଅପରପକ୍ଷେ ପରିବାର ଲୋକଙ୍କ କହିବା ଅନୁସାରେ, ଝିଅର ମୁହଁ ଓ ଆଖିରେ ଏସିଡ୍ ପଶିଛି। ଝିଅ କେବେ କୌଣସି ପୁଅ ଦ୍ୱାରା ନିର୍ଯାତିତ ହେଉଥିବା ବିଷୟରେ କହିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.