ଯୁବପିଢ଼ିଙ୍କୁ ଧୂମପାନରୁ ବିରତ କରିବା ପାଇଁ ସରକାରଙ୍କ କଡ଼ା ପଦକ୍ଷେପ, ଖୁଚୁରା ବା ଖୋଲା ଭାବରେ ବିକ୍ରି ହେବ ନାହିଁ ସିଗାରେଟ୍‌

ନୂଆଦିଲ୍ଲୀ : ଭାରତରେ ବନ୍ଦ ହେବକି ସିଗାରେଟ ? ସିଗାରେଟ ତିଆରି ଓ ବିକ୍ରି ଉପରେ ଖୁବଶୀଘ୍ର ଲାଗିପାରେ କଟକଣା । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସଂସଦର ଷ୍ଟାଣ୍ଡିଙ୍ଗ କମିଟି ଏପରି ପରାମର୍ଶ ଦେଇଛି । ତମାଖୁ ଉତ୍ପାଦର ବ୍ୟବହାରରେ ହ୍ରାସ ଆଣିବା ପାଇଁ ଏଭଳି ପରାମର୍ଶ ଦେଇଛି କମିଟି । ସିଗାରେଟ ଟାଣିବା ଦ୍ୱାରା ଶରୀରରେ ତମାଖୁର ମାତ୍ରା ବଢୁଛି । ଏହା ଉପରେ ରୋକ ଲଗାଇବା ପାଇଁ ସରକାର ସିଗାରେଟର ତିଆରି ଓ ବିକ୍ରି ନୀତିରେ ପରିବର୍ତ୍ତନ ଆଣିପାରନ୍ତି । ୩ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଇ-ସିଗାରେଟକୁ ବ୍ୟାନ କରି ସାରିଛନ୍ତି । ତମାଖୁ ଲଢେଇରେ ସିଗାରେଟ ବାଧା ସୃଷ୍ଟି କରୁଥିବା କମିଟି କହିଛି ।

ନିକଟରେ କେନ୍ଦ୍ର ସରକାର ସିଗାରେଟର ବ୍ୟବହାର କମାଇବା ପାଇଁ ଏହା ଉପରେ ୫୩ ପ୍ରତିଶତ ଜିଏସ୍‌ଟି ଲାଗୁ କରିଛନ୍ତି । ସେହିପରି ବିଡ଼ି ଉପରେ ୨୨ ପ୍ରତିଶତ ଓ ଧୂଆଁ ବିହୀନ ଟତାବାକୋ ଉତ୍ପାଦ ଉପରେ ୬୦ ପ୍ରତିଶତ ଜିଏସ୍‌ଟି ଲାଗୁ କରିଛନ୍ତି । ଷ୍ଟାଣ୍ଡିଙ୍ଗ କମିଟି କହିଛି, ଜିଏସଟି ଆସିବା ପରେ ବି ତମାଖୁ ଓ ଏଭଳି ଉତ୍ପାଦ ଉପରେ ଟ୍ୟାକ୍ସର ପରିମାଣ କମ ରହିଛି । ତମାଖୁ ଉତ୍ପାଦ ଉପରେ ୭୫ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ଯାହା ସରକାର ଏପର୍ଯ୍ୟନ୍ତ ଲାଗୁ କରି ନାହାନ୍ତି । କମିଟି ଏହା ମଧ୍ୟ କହିଛି କି, ଧୂମପାନ ଓ ଆଲକହଲ ନେବା ଦ୍ୱାରା କ୍ୟାନସର ଭଳି ରୋଗ ସୃଷ୍ଟିର ସମ୍ଭାବନା ବଢୁଛି ।

ଏସବୁକୁ ଦୃଷ୍ଟିରେ ରଖି ଆଗକୁ ଆଉ ଖୁଚୁରା ବା ଖୋଲା ଭାବରେ ସିଗାରେଟ୍‌ ବିକ୍ରି ହେବ ନାହିଁ । ଗ୍ରାହକ କେବଳ ପ୍ୟାକେଟ୍‌ ହିଁ କିଣି ପାରିବେ । ଏକାଥରେ ଅଧିକ ଟଙ୍କା ଦେବାକୁ ହେଉଥିବାରୁ ହୁଏତ ପୂରା ପ୍ୟାକେଟ୍‌ କିଣିବାକୁ ଅନେକ ଲୋକ ରାଜି ହେବେ ନାହିଁ । ଯାହା ଫଳରେ ଧୂମପାନ କମିବ ବୋଲି ଅନୁମାନ କରାଯାଉଛି ।

ଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଦଣ୍ଡନୀୟ ଅପରାଧ । ଏଭଳି କଲେ ୨୦୦ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି । ତଥାପି ଏହି ନିୟମ କଡ଼ାକଡ଼ି ଭାବେ ପାଳନ ହୋଇ ପାରୁନାହିଁ । ଏହା ସହ ଟବାକୋ ଉତ୍ପାଦର ବିଜ୍ଞାପନ ଉପରେ କଡ଼ା ନିୟମ ଆଣିଛନ୍ତି ସରକାର । ତଥାପି ସିଗାରେଟର ବ୍ୟବହାର କମି ପାରୁନାହିଁ । ଦିନକୁ ଦିନ ସିଗାରେଟ ଟାଣୁଥିବା ଲୋକଙ୍କ ସଂଖ୍ୟା ବଢୁଛି ପଛେ କମୁନାହିଁ । ବିଶେଷ କରି ଯୁବପିଢି ଏହି ନିଶାକୁ ଆପଣେଇ ନେଉଛନ୍ତି । ଯାହା ସେମାନଙ୍କ କ୍ଷେତ୍ରରେ ଅନେକ ରୋଗ ସୃଷ୍ଟି କରୁଛି । ଯଦି ଏଥିରେ ରୋକ ନଲାଗେ ବିପଦ ଆଡ଼କୁ ବଢ଼ି ଚାଲିବେ ଦେଶର ଯୁବପିଢ଼ି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.