Below header

୧୭ଦିନ ପରେ ନୂଆ ସୂର୍ଯ୍ୟୋଦୟ, ଟନେଲରୁ ବାହାରିଲେ ସମସ୍ତ ୪୧ ଶ୍ରମିକ, କେମିତି ଥିଲା ୪୦୦ ଘଣ୍ଟାର ଅପରେସନ୍

ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟା ନଥିଲା ସହଜ। ନାନା ବାଧା, ବହୁ ବିଘ୍ନ ମଧ୍ୟରେ ଚାଲିଥିଲା ରେସକ୍ୟୁ ଅପରେସନ। ୪୦୦ ଘଣ୍ଟାର ଅପରେସନ୍ ପରେ ବାହାରିଲେ ସମସ୍ତ ଶ୍ରମିକ। ଆସନ୍ତୁ ଦେଖିବା କେମିତି ଥିଲା ଉଦ୍ଧାର କାର୍ଯ୍ୟରେ ୧୭ଦିନର ଏହି ଯାତ୍ରା।

ସୁଡ଼ଙ୍ଗ ମଧ୍ୟରେ ୧୭ଦିନ। ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟା ନଥିଲା ସହଜ। ନାନା ବାଧା, ବହୁ ବିଘ୍ନ ମଧ୍ୟରେ ଚାଲିଥିଲା ରେସକ୍ୟୁ ଅପରେସନ। ୪୦୦ ଘଣ୍ଟାର ଅପରେସନ୍ ପରେ ବାହାରିଲେ ସମସ୍ତ ଶ୍ରମିକ। ପାଇପ ଯୋଗେ ଏନଡିଆରଏଫ ଓ ଏସଡିଆରଏଫ ସଦସ୍ୟ ସେମାନଙ୍କୁ ବାହାର କରିଛନ୍ତି। ସୁଡ଼ଙ୍ଗରୁ ବାହାରିବା ପରେ ସେଠାରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ପ୍ରଥମେ ଶ୍ରମିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହି ବାହାରି ଥିବା ଶ୍ରମିକଙ୍କ ସଂପର୍କରେ ସେମାନଙ୍କୁ ପଚାରି ବୁଝିଛନ୍ତି। ପରେ ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଛି। ରାଷ୍ଟ୍ରପତି ଉଦ୍ଧାର ପରେ ଖୁସି ବ୍ୟକ୍ତ କଲେ ଓ ରେସକ୍ୟୁ ଟିମକୁ ଶୁଭେଚ୍ଛା ଜଣାଇଲେ । ରେସକ୍ୟୁ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ ଭାବ ବିହ୍ଵଳ କଲା ଭଳି ସମୟ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ କାର୍ଯ୍ୟର ସମୀକ୍ଷା କରାଯିବ ଓ ଟେକ୍ନୋଲୋଜି ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଲେ ।

ଆସନ୍ତୁ ଦେଖିବା କେମିତି ଥିଲା ଉଦ୍ଧାର କାର୍ଯ୍ୟରେ ୧୭ଦିନର ଏହି ଯାତ୍ରା। ଜୀବନ ପାଇଁ ଟନେଲ ମଧ୍ୟରେ ସଂଘର୍ଷ। ନଭେମ୍ବର ୧୨ତାରିଖ ଭୋରରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରାଖଣ୍ଡର ଉତ୍ତରକାଶୀ ଠାରେ ସିଲ୍କୟାରା- ବାରକୋଟ ନିର୍ମାଣାଧୀନ ଟନେଲ। ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିଲେ ୪୧ ଶ୍ରମିକ। ଘଟଣା ଜଣାପଡ଼ିବା ପରେ ତୁରନ୍ତ ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିଲା ଉଦ୍ଧାର କାର୍ଯ୍ୟ। ଏସ୍କାଭେଟର ଜରିଆରେ ଫସି ରହିଥିବା ଶ୍ରମିକଙ୍କ ପାଖକୁ ଏୟାର କମ୍ପ୍ରେସଡ୍ ପାଇପ ଜରିଆରେ ଅକ୍ସିଜେନ, ଖାଦ୍ୟସାମଗ୍ରୀ ଆଦି ପଠାଇବାକୁ ହୋଇଥିଲା ଉଦ୍ୟମ। ଦୁଇଦିନ ଧରି ଉଦ୍ଧାର ପାଇଁ ଚାଲିଥିଲା ଅହରହ ଉଦ୍ୟମ। ପହଞ୍ଚିଥିଲେ ୨ ଅନ୍ତର୍ଜାତୀୟ ଟନେଲ ଏକ୍ସପର୍ଟ। ସ୍ଥିତି ଅନୁଧ୍ଯାନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ନଭେମ୍ବର ୧୪ତାରିଖରେ ରେସକ୍ୟୁରେ ଅଗର ମେସିନ ନିୟୋଜିତ କରାଯାଇଥିଲା। ଧାତବ ଖଣ୍ଡରେ ପିଟି ହେବା ପରେ ଅକାମୀ ହୋଇଥିଲା ଅଗର ମେମିନ। ରେସକ୍ୟୁ ପାଇଁ ୫ଟି ଏଜେନସୀ ଓଏନଜିସି, ଏଲଏଲଜେଭିଏନ, ଆରଭିଏନଏଲ, ଏନଏଚଆଇଡିସିଏଲ ଏବଂ ଟିଏଚଡିସିଏଲ ସାମିଲ ହୋଇଥିଲେ। ୧୬ତାରିଖରୁ ପୁଣି ଏକ ଅଗର ମେସିନରେ ଆରମ୍ଭ ହୋଇଥିଲା ଡ୍ରିଲିଂ କାମ। ଶ୍ରମିକମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟ, ପାନୀୟ, ଅମ୍ଲଜାନ, ଔଷଧ ଯୋଗାଇ ଦିଆଯାଉଥିଲା। କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ, ଭିକେ ସିଂ ପ୍ରମୁଖ ଘଟଣାସ୍ଥଳରେ ରେସକ୍ୟୁର ସ୍ଥିତି ଅନୁଧ୍ୟାନ କରିଥିଲେ।

ଏପଟେ ଅଗର ମେସିନ ପୁଣି ଭାଙ୍ଗି ଯାଇ ଡ୍ରିଲିଂ କାମ ବନ୍ଦ ହୋଇଥିଲା। ନଭେମ୍ବର ୨୧ତାରିଖରେ ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରୁ ଆସିଥିଲା ଶ୍ରମିକଙ୍କ ପ୍ରଥମ ଭିଡିଓ। ନଭେମ୍ବର ୨୨ତାରିଖରେ ଏକ ଉଚ୍ଚକ୍ଷମତା ସଂପନ୍ନ ଅଗର ମେସିନ ଜରିଆରେ ହୋଇଥିଲା ଖନନ। କିନ୍ତୁ ୫୭ ମିଟର ଧ୍ୱଂସାବଶେଷ ମଧ୍ୟରୁ ୪୫ ମିଟର ସମାନ୍ତରାଳ ଡ୍ରିଲିଂ ପରେ ପୁଣି ଡ୍ରିଲିଂ ବନ୍ଦ ରହିଥିଲା। ୨୩ ତାରିଖ ସକାଳୁ ପୁଣି ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

ଡ୍ରିଲିଂ ସହ ସମାନ୍ତରାଳ ଭାବେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୯ଶହ ମିମି ପାଇପ ପ୍ରବେଶ କରାଯାଉଥିଲା। କିନ୍ତୁ ପୁଣି ଅଗର ମେସିନ ବ୍ଲେଡ ଭାଙ୍ଗି ଅଟକିବା ପରେ ପ୍ଲାଜମା କଟର ଅଣାଯାଇ ଏହାକୁ କଟାଯାଇ ବାହାର କରାଯାଇଥିଲା। ୨୫ତାରିଖରୁ ଆରମ୍ଭ ହୋଇଥିଲା ପାହାଡ଼ ଉପରୁ ଟନେଲ ଖନନ। ସମସ୍ତ ବିକଳ୍ପ ଉପରେ କାର୍ଯ୍ୟ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପିକେ ମିଶ୍ର ପହଞ୍ଚି ରେସକ୍ୟୁର ସ୍ଥିତି ଅନୁଧ୍ୟାନ କରିଥିଲେ। ଶେଷରେ ଉଦ୍ଧାର କାର୍ଯ୍ୟରେ ମାନୁଆଲ ରାଟ ହୋଲ ମାଇନିଂର ସହାୟତା ନିଆଯାଇଥିଲା।

ଟନେଲ ମଧ୍ୟରେ ଫସି ଥିଲେ ଓଡ଼ିଶାର ୫ଜଣ ଶ୍ରମିକ। ଏହି ୫ ଜଣ ଓଡ଼ିଆ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼କଦମ କୁଲଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁର ଗାଁର ଧୀରେନ୍ ନାଏକ, ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏକ । ଅନ୍ୟ ଦୁଇଜଣ ହେଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ତପନ ମଣ୍ଡଳ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା । ପରିବାର ଲୋକେ ଏମାନଙ୍କ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ।

ଘଟଣାସ୍ଥଳରେ ରାଜ୍ୟ ଶ୍ରମ ବିଭାଗର ୨ ଅଧିକାରୀ ସ୍ଥିତି ପରଖିବା ସହ ପରିବାର ଲୋକଙ୍କୁ ଉତ୍ତରକାଶୀ ନେବାର ବ୍ୟବସ୍ଥା କରାଯାଇଥିଲା। ଶ୍ରମିକଙ୍କ ପରିବାରରୁ ଜଣେ ଲେଖାଏଁ ସଦସ୍ୟ ଭୁବନେଶ୍ବର ଆସି 5t ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିବା ପରେ ଶ୍ରମମନ୍ତ୍ରୀଙ୍କ ସହ ଉତ୍ତରକାଶୀ ଗସ୍ତ କରିଥିଲେ ।

କେନ୍ଦ୍ର ସରକାରଙ୍କ ଚାରଧାମ ପ୍ରକଳ୍ପର ଏକ ଅଂଶ ହେଉଛି ସିଲକିୟାରା ଟନେଲ। ସାଢେ ୪କିମି ଲମ୍ବ ଟନେଲର କାମ ଚାଲିଥିବା ବେଳେ ୨ଶହ ମିଟର ପରେ ୬୦ମିଟର ଲମ୍ବର ଅଂଶ ଭୁଶୁଡ଼ି ପଡ଼ିଥିଲା। ଶ୍ରମିକ ମାନେ ଦୁଇକିମି ଦୂରତା ଓ ସାଢେ ୮ମିଟର ଉଚ୍ଚତା ଅଞ୍ଚଳରେ ଫସି ରହିଥିଲେ। ତେବେ ସୌଭାଗ୍ୟ ବଶତଃ ସେଠାରେ ବିଜୁଳି ଓ ପାଣି ଉପଲବଧ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.