Below header

ଉତ୍ତର କୋରିଆରେ ଖାଦ୍ୟ ନାହିଁ! କ୍ଷେତ ଜଗିଛନ୍ତି ସୈନିକ, ଫସଲ ଚୋରି କଲେ ଗୁଳି ମାରି ଦେବାକୁ ଦିଆଯାଇଛି ଆଦେଶ

ଉତ୍ତର କୋରିଆରୁ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି, ତାହା ଦିନକୁ ଦିନ ଅଧିକ ଚିନ୍ତାଜନକ ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟ ସହାୟତା ଏଜେନ୍ସି ଲଗାତାର ଚେତାବନୀ ଦେଉଛି କି, ଖାଦ୍ୟ ସଙ୍କଟ ଯୋଗୁ ଉତ୍ତର କୋରିଆ ବଡ଼ ମାନବୀୟ ସଙ୍କଟ ଆଡ଼କୁ ଗତି କରୁଛି। ଚଳିତ ବର୍ଷ ବନ୍ୟା ଫସଲ ନଷ୍ଟ କରି ଦେଇଛି। କରୋନା ଯୋଗୁ ଚୀନ ସହିତ ସୀମା ବନ୍ଦ ମଧ୍ୟ ସଙ୍କଟକୁ ଆହୁରି ବଢ଼ାଇ ଦେଇଛି। ଶୀତଦିନ ଯେତିକି ଯେତିକି ପାଖେଇ ଆସୁଛି, ଚିନ୍ତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।

ଫସଲର ଦେଖାଶୁଣା ପାଇଁ ଚାଷଜମିଗୁଡ଼ିକରେ ଏବେ ସୈନିକମାନଙ୍କୁ ମୁତୟନ କରି ଦିଆଯାଇଛି ଏବଂ ସେମାନଙ୍କୁ ଆଦେଶ ଦିଆଯାଇଛି କି, ଖାଦ୍ୟଶସ୍ୟ ଚୋରାଉଥିବା ଲୋକକୁ ଗୁଳି କରି ମାରିଦିଅ। ପରିସ୍ଥିତି ଏବେ ଏତେ ଭୟାବହ ହୋଇଯାଇଛି ଯେ ଅନେକ ଲୋକ ଜଙ୍ଗଲି ଗଛଲତା ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚାଷୀମାନେ ନିଜ ନିଜ ଫସଲକୁ ସରକାରଙ୍କୁ ଦେବା ବଦଳରେ ଲୁଚାଇ ଦେଉଛନ୍ତି। କିଛି ଚାଷୀ ଭୋକିଲା ରହିବା ଭୟରେ ୬୦ ପ୍ରତିଶତ ଫସଲ ସରକାରଙ୍କୁ ଦେଉ ନାହାନ୍ତି। ଖରାପ ପାଗ ଏବଂ ସାରର ଅଭାବ ହେତୁ ଫସଲ କ୍ଷତିଗ୍ରସ୍ତ ହେଉଛି।

ରିୟାନଗାଙ୍ଗ୍‌ର ଉତ୍ତରାଞ୍ଚଳର ଏକ ସୂତ୍ରରୁ ଜଣାପଡ଼ିଛି କି, ୫ ଜଣ ଚାଷୀ ନିଜର ଫସଲକୁ ଜମା କରୁଥିବା ବେଳେ ଧରା ପଡ଼ିଛନ୍ତି। ସେମାନଙ୍କୁ ଶ୍ରମ ଶିବିରରେ ୫ ମାସର ଦଣ୍ଡ ଶୁଣାଯାଇଛି ଏବଂ ଫସଲ ଆଣିବା କାର୍ଯ୍ୟରେ ଲାଗିଥିବା ଲୋକଙ୍କୁ ନିୟମିତ ଭାବରେ ଯାଞ୍ଚ କରାଯାଉଛି। ଉତ୍ତର କୋରିଆରେ ଅଧିକାରୀମାନେ ସିସିଟିଭି ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କି, ଖାଦ୍ୟ ଜରୁରିକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଚାଲିବ ଏବଂ ସେ ପର୍ଯ୍ୟନ୍ତ ସୀମା ବନ୍ଦ ରହିପାରେ। ସେପଟେ ଟେମ୍ପଲ ୟୁନିଭର୍ସିଟିରେ ଅନ୍ତର୍ଜାତୀୟ ସମ୍ବନ୍ଧର ପ୍ରଫେସର ଜେମ୍ସ ବ୍ରାଉନଙ୍କ କହିବା ହେଲା, ସମସ୍ତ ସଙ୍କେତ ଏହା ଦର୍ଶାଉଛି ଯେ ଉତ୍ତର କୋରିଆବାସୀ ବଡ଼ ସଙ୍କଟକୁ ସାମ୍ନା କରୁଛନ୍ତି। ଚୀନ ସହିତ ସୀମା ବନ୍ଦ କରିବାର ନିଷ୍ପତ୍ତି ଏହି ସମସ୍ୟାକୁ ବଢ଼ାଇ ଦେଇଛି। କାହିଁକିନା, ଚୀନ ଖାଦ୍ୟ ଯୋଗାଣର ଏକ ବଡ଼ ସ୍ରୋତ।

୯୦ ଦଶକରେ ଭୋକରେ ମରିଥିଲେ ୩୫ ଲକ୍ଷ ଲୋକ

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କର୍ମଚାରୀମାନଙ୍କୁ ୨୦୨୦ରେ ଦେଶ ଛାଡ଼ିବାର ଆଦେଶ ଦିଆଯାଇଥିଲା। ଏହି ସଂସ୍ଥା ମୁତାବକ, ସେତେବେଳେ ୪୦ ପ୍ରତିଶତ ଲୋକ (ପାଖାପାଖି ୧.୩୦ କୋଟି) କୁପୋଷଣର ଶିକାର ହୋଇଥିଲେ, ଯାହାକି ୨୦୧୯ ତୁଳନାରେ ୨.୧୮ ଲକ୍ଷ ଟନ୍‌ ଖାଦ୍ୟ କମ୍‌ ଥିଲା। ଦେଶର ୨.୫୭ କୋଟି ଲୋକଙ୍କ ପାଇଁ ପ୍ରତ୍ୟେକ ବର୍ଷ ୫୨ ଲକ୍ଷ ଟନ ଖାଦ୍ୟଶସ୍ୟ ଆବଶ୍ୟକ ପଡ଼ିଥାଏ। ଏଭଳି ସ୍ଥିତି ୧୯୯୦ ଦଶକରେ ପଡ଼ିଥିବା ଦୁର୍ଭିକ୍ଷର ସ୍ମୃତିକୁ ତାଜା କରି ଦେଉଛି। ସେହି ସମୟରେ ଉତ୍ତର କୋରିଆରେ ୩୫ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.