Below header

କିଏ ହେବେ ଏଆଇସିସିର ନୂଆ ଅଧ୍ୟକ୍ଷ ? ଅଶୋକ ଗେହଲଟଙ୍କ ନାଁକୁ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ):କିଏ ହେବେ ଏଆଇସିସିର ନୂଆ ଅଧ୍ୟକ୍ଷ ? ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁକୁ ନେଇ ଏବେ ଜୋର ଚର୍ଚ୍ଚା । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅଶୋକ ଗେହଲଟଙ୍କୁ କଂଗ୍ରେସ ମୁଖ୍ୟ ଭାବେ ନେତୃତ୍ୱ ନେବାକୁ ସୋନିଆ ଗାନ୍ଧି ପ୍ରସ୍ତାବ ଦେଇଥିବା କୁହାଯାଉଛି। ଅଶୋକ ଗେହଲଟ ହେଉଛନ୍ତି ଗାନ୍ଧୀ ପରିବାରର ଅତ୍ୟନ୍ତ ଘନିଷ୍ଠ । ତାଙ୍କର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ରହିଛି । ଏଥିପାଇଁ ଗେହଲଟ ସୋନିଆଙ୍କ ପ୍ରଥମ ପସନ୍ଦ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଏଆଇସିସି ଅଧ୍ୟକ୍ଷ ପଦ ନେଇ ତାଙ୍କ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି ଅଶୋକ ଗେହଲଟ । କହିଛନ୍ତି, ଏ ବାବଦରେ ସେ କିଛି ନାହାନ୍ତି ।

ଯାହାକିଛି ଗଣମାଧ୍ୟମରୁ ଶୁଣିବାକୁ ପାଇଛନ୍ତି । ତାଙ୍କୁ ହାଇକମାଣ୍ଡ ଦେଇଥିବା ଦାୟିତ୍ୱକୁ ସୁଚାରୁରୂପେ ତୁଲାଉଛନ୍ତି । ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ସେ ଦଳୀୟ ପର୍ଯ୍ୟବେକ୍ଷକ ଅଛନ୍ତି । ଏହାସତ୍ତ୍ୱେ ରାଜସ୍ଥାନରେ ତାଙ୍କ ଦାୟିତ୍ୱରେ ଖିଲାପ କରୁନାହାନ୍ତି । ତେବେ ରାହୁଲଙ୍କୁ ଏଆଇସିସି ଅଧ୍ୟକ୍ଷ କରାଯାଉ ବୋଲି ଅଶୋକ ଗେହଲଟ ଚାହୁଁଛନ୍ତି । ରାହୁଲଙ୍କୁ ଅଧ୍ୟକ୍ଷ କରାନଗଲେ ଦଳୀୟ କର୍ମୀ ହତାଶା ହୋଇପଡ଼ିବେ ବୋଲି ସେ କହିଛନ୍ତି । ରାଜନୈତିକ ମହଲରେ ଚର୍ଚ୍ଚା ଅନୁଯାୟୀ, ଗେହଲଟଙ୍କୁ ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦେବା ପଛରେ ସୋନିଆଙ୍କ ଦୁଇଟି ଉଦ୍ଦେଶ୍ୟ ଥାଇପାରେ । ପ୍ରଥମରେ ରାଜସ୍ଥାନରେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଗେହଲଟଙ୍କୁ ପଦୋନ୍ନତି ଦିଆଯାଇ ଅଧ୍ୟକ୍ଷ କରାଯାଇପାରେ । ଦ୍ୱିତୀୟତଃ ରାଜସ୍ଥାନରେ ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସୋନିଆ ଏପରି ପ୍ରସ୍ତାବ ରଖିଥାଇପାରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.