ସ୍ତ୍ରୀର ଦ୍ୱିତୀୟ ବିବାହ ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରୁ ଜାଣିଲା ସ୍ୱାମୀ, ଫୋନ୍‌ କରିବାରୁ କହିଲା-ଇଏ ଅଧିକ ସ୍ମାର୍ଟ ଆଉ ସରକାରୀ ଚାକିରିଆ

ଲକ୍ଷ୍ମୌ: ବାହାଘର ପରେ ସୁନା ଗହଣା ନେଇ ଫେରାର ହୋଇ ଦ୍ୱିତୀୟ ବିବାହ କଲା ବୋହୂ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ଏକ ମାମଲା। ଏଠାରେ ଏକ ନୂଆ ବୋହୂ ଘରୁ ସୁନା ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛି। ପୀଡ଼ିତ ସ୍ୱାମୀ ଗୋସାଇଗଞ୍ଜ ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି। ସ୍ୱାମୀଙ୍କ ମୁତାବକ, ଯୁବତୀ ପ୍ରଥମେ ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। କିଛି ଦିନ ପରେ ସେ ଗହଣା ଓ ଟଙ୍କା ନେଇ ବାପ ଘରକୁ ଚାଲିଯାଇଥିଲା। ଏହି ପୀଡ଼ିତ ସ୍ୱାମୀ କାସିମପୁରର ଅମିତ ଯାଦବ। ଅମିତ ଥାନାରେ ନିଜ ସ୍ତ୍ରୀ ଓ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅମିତଙ୍କ କହିବାନୁସାରେ, ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରୁ ଜଣାପଡ଼ିଥିଲା ଯେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଛନ୍ତି।

ଏ ନେଇ ଏସ୍‌ଏଚ୍‌ଓ ବିନୟ କୁମାର ସିଂହ କହିଛନ୍ତି, ପୀଡ଼ିତ ସ୍ୱାମୀ ଅମିତ ଯାଦବ ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ପଢ଼ୁଥିଲା। ସେଠାରେ ନିଶା ନାମ୍ନୀ ହରିୟାଣାର ଯୁବତୀଙ୍କ ସହ ତାଙ୍କର ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ସମ୍ପର୍କ ଆଗକୁ ବଢ଼ିଥିଲା। ଯୁବତୀ ତାଙ୍କ ଉପରେ ବିବାହ ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ। କିନ୍ତୁ ଅମିତ ବିବାହ ପାଇଁ ମନା କରିବାରୁ ସେ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏହା ପରେ ଉଭୟେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ଲକ୍ଷ୍ନୌରେ ଏହି ବିବାହ ରେଜିଷ୍ଟ୍ରେସନ ହୋଇଥିଲା।

marriage

ଶାଶୁଘର ତରଫରୁ ବୋହୂକୁ ସୁନା ଗହଣା ଓ ନଗଦ ୪୦ ହଜାର ଟଙ୍କା ଦିଆଯାଇଥିଲା। ବାହାଘରର କିଛି ଦିନ ପରେ ନିଶା ବାହାନା କରି ବାପ ଘରକୁ ଚାଲିଯାଇଥିଲା। ତା’ପରେ ସେ ଶାଶୁ ଘରକୁ ଆସିବାକୁ ଆଉ ରାଜି ହୋଇନଥିଲା। କିନ୍ତୁ ଅମିତ ତାଙ୍କୁ ଫେରିଆସିବାକୁ ଅନେକ ବୁଝାଇଥିଲେ। କିଛି ଦିନ ପରେ ଅମିତ ଇନ୍‌ଷ୍ଟାଗ୍ରାମ୍‌ ଖୋଲିବାରୁ ଜାଣିଥିଲେ ଯେ ତାଙ୍କ ସ୍ତ୍ରୀ ଗୌତମ ଅହୀର ନାମକ ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରି ନେଇଛନ୍ତି।

ଏ ନେଇ ଅମିତ ଫୋନ୍‌ କରି ନିଶାଙ୍କୁ ପଚାରିବାରୁ ସେ କହିଥିଲା ଯେ ତାଙ୍କ ସ୍ୱାମୀ ସରକାରୀ ଚାକିରି କରୁଛନ୍ତି, ଆଉ ଦେଖିବାକୁ ବି ସ୍ମାର୍ଟ। ଏଣୁ ଏବେ ସେ ତାଙ୍କ ସହ ରହିବେ। ଯଦି ଛାଡ଼ପତ୍ର ଦରକାର, ତେବେ ୫ ଲକ୍ଷ ଦିଅ। ଏହା ପରେ ଅମିତ ସ୍ତ୍ରୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Also Read: ଏଣିକି ଟୋଲ ପ୍ଲାଜା କି ଫାସ୍‌ଟ୍ୟାଗ୍‌ ନୁହେଁ, ସିଧାସଳଖ ଆକାଉଣ୍ଟରୁ କଟିବ ଟୋଲ ଟ୍ୟାକ୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.