Below header

ପୁଣି ଚୀନର ଦାଦାଗିରି, ଅରୁଣାଚଳ ପ୍ରଦେଶର ୧୧ଟି ନୂଆ ଅଞ୍ଚଳକୁ ନୂଆ ନାଁ ଦେଇଛି ଡ୍ରାଗନ୍‌, ଭାରତର ପ୍ରତ୍ୟାଖ୍ୟାନ

ପୁଣି ଚୀନର ଦାଦାଗିରି । ଅରୁଣାଚଳ ପ୍ରଦେଶର ୧୧ଟି ନୂଆ ଅଞ୍ଚଳକୁ ନୂଆ ନାଁ ଦେଇଛି ଡ୍ରାଗନ୍‌ । ଏପଟେ ଚୀନ୍‌ର ତୃତୀୟ ତାଲିକାକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ କରିଛି ।

ନୂଆଦିଲ୍ଳୀ : ପୁଣି ଚୀନର ଦାଦାଗିରି । ଅରୁଣାଚଳ ପ୍ରଦେଶର ୧୧ଟି ନୂଆ ଅଞ୍ଚଳକୁ ନୂଆ ନାଁ ଦେଇଛି ଡ୍ରାଗନ୍‌ । ଏପଟେ ଚୀନ୍‌ର ତୃତୀୟ ତାଲିକାକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ କରିଛି ।

ବଦମାସ ଚୀନ୍‌ର ବଡ଼ ଚକ୍ରାନ୍ତ । ଅରୁଣାଚଳ ପ୍ରଦେଶରେ ୧୧ଟି ସ୍ଥାନକୁ ନିଜର କହିବାକୁ ଷଡଯନ୍ତ୍ର । ଜାରି କରିଛି ସ୍ୱୀକୃତି ପ୍ରାପ୍ତ ତୃତୀୟ ତାଲିକା । ଚୀନର ନାଗରିକ ମାମଲାର ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ତାଲିକା । ଏଥିରେ ଅରୁଣାଚଳ ପ୍ରଦେଶର ୧୧ ସ୍ଥାନର ନୂଆ ନାଁ ଦେଇଛି ଚୀନ୍‌ ।

୧୧ଟି ସ୍ଥାନ ମଧ୍ୟରେ ଦୁଇ ଭୂମି କ୍ଷେତ୍ର, ଦୁଇ ଆବସିକ କ୍ଷେତ୍ର, ୫ଟି ପର୍ବତ ଶୃଙ୍ଖ ଓ ୨ଟି ନଦୀ ରହିଛି । ଏହା ସହ ଜଡ଼ିତ ପ୍ରଶାସନିକ ଜିଲ୍ଲାର ନାଁକୁ ମଧ୍ୟ ଚୀନ ବଦଳାଇ ଦେଇଛି । ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ଭାବେ ବିବେଚନା କରୁଛି ଚୀନ । ଏହି ଅଞ୍ଚଳଗୁଡ଼ିକୁ ଦକ୍ଷିଣ ତିବ୍ଦତର ଦକ୍ଷିଣ ଭାଗର ଅଂଶବିଶେଷ ଭାବେ ଗଣନା କରିଛି ।

ଚୀନ୍‌ର ତୃତୀୟ ତାଲିକାକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ, ଅବିଚ୍ଛେଦ୍ୟ ଅଙ୍ଗ ଓ ସର୍ବଦା ରହିବ ବୋଲି ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ କରିଛି । ଏଭଳି କାମ କରି ଚୀନ୍‌ ବାସ୍ତବିକ ଚିତ୍ରକୁ ବଦଳାଇ ପାରିବ ନାହିଁ ବୋଲି କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଚାଇନା ପ୍ରଥମଥର ଏପରି ନାଁ ବଦଳାଇବା କାମ କରନି । ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ଆମେ ଏପରି ପଦକ୍ଷେପକୁ ଅଗ୍ରାହ୍ୟ ଓ ନିନ୍ଦା କରୁଛୁ ।

ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ । କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ । ସୀମାକୁ ନେଇ ବିଭିନ୍ନ ସମୟରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ସୀମାରେ ଶାନ୍ତି ନେଇ ଚୀନ୍‌ର କଥା ଓ କାମରେ କେବେ ବି ତାଳମେଳ ରହୁନି । ବିସ୍ତାରବାଦରେ ବିଶ୍ୱାସ ରଖୁଥିବା ଚୀନ ଗୋଟିଏ କଥା କହେ । କିନ୍ତୁ କାମ ପୂରା ଓଲଟା ।

ଚୀନ ଭାରତ ମଧ୍ୟରେ ୩୪ଶହ ୮୮ କିମି ଲମ୍ବର ସୀମା ଅଞ୍ଚଳ ରହିଛି । ଇଷ୍ଟର୍ଣ୍ଣ, ମିଡିଲ ଓ େଓ୍ଵଷ୍ଟର୍ଣ୍ଣ ନାମରେ ଏହି ସୀମାକୁ ବିଭାଜନ କରାଯାଇଛି । ଇଷ୍ଟର୍ଣ୍ଣରେ ସିକ୍କିମ ଓ ଅରୁଣାଚଳର ୧୩ଶହ ୪୬କିମି ସୀମା ଚୀନ ସହ ରହିଥିବା ବେଳେ ମିଡିଲ ସେକ୍ଟରରେ ଅରୁଣାଚଳ ଓ ଉତ୍ତରାଖଣ୍ଡର ୫୪୫ କିମି ଓ େଓ୍ଵଷ୍ଟର୍ଣ୍ଣ ସେକ୍ଟରରେ ଲଦାଖର ୧୫ଶହ ୯୭କିମି ଲମ୍ବ ସୀମାଞ୍ଚଳ ରହିଛି । ଅରୁଣାଚଳ ପ୍ରଦେଶର ୯୦ହଜାର ବର୍ଗମିଟରକୁ ଚୀନ ନିଜର ବୋଲି ଦାବି କରିଆସୁଛି ।

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଚୀନ ଏପରି ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ବଦଳାଇବାର ନଜିର କହିଛି । ଅରୁଣାଚଳ ପ୍ରଦେଶକୁ ନେଇ ଚୀନ୍‌ ସହ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ୨୦୧୭ ଏପ୍ରିଲରେ ଅରୁଣାଚଳ ପ୍ରଦେଶରେ ୬ଟି ସ୍ଥାନକୁ ଜୋର ଜବରଦସ୍ତ ନୂଆ ନାଁ ଦେଇଥିଲା । ଡିସେମ୍ବର ୨୦୨୧ରେ ୧୫ଟି ନାଁ ବଦଳାଇଥିଲା । ସେତେବେଳେ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଏସବୁ ସତ୍ତ୍ୱେ ଚୀନ୍‌ ନିଜର ବାଚାଳାମୀରୁ ନିବୃତ୍ତ ହେଉନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.