ଓରେରାର ଏକ ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ପରବର୍ତ୍ତି ଶୁଣାଣି ୬ ସପ୍ତାହ ପରେ ହେବ
ପ୍ରକଳ୍ପ ରେଜିଷ୍ଟ୍ରେସନ ଫି ବୃଦ୍ଧି ନେଇ ଓରେରା ଜାରି କରିଥିବା ବିଜ୍ଞପ୍ତି ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଙ୍କୁଶ ଲଗାଇ ଓରେରାକୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି।

କଟକ(କେନ୍ୟୁଜ୍): ଓରେରାର ଏକ ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ପ୍ରକଳ୍ପ ରେଜିଷ୍ଟ୍ରେସନ ଫି ବୃଦ୍ଧି ନେଇ ଓରେରା ଜାରି କରିଥିବା ବିଜ୍ଞପ୍ତି ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଙ୍କୁଶ ଲଗାଇ ଓରେରାକୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ତେବେ ଯଦି ବର୍ଦ୍ଧିତ ହାରରେ ଫି ଅଦାୟ କରାଯାଏ; ତାହା ହେଲେ ସେହି ଟଙ୍କାକୁ ସ୍ବତନ୍ତ୍ର ଜମା ଖାତାରେ ରଖିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ୬ ସପ୍ତାହ ପରେ ହେବା ପାଇଁ ଅଦାଲତ ଧାର୍ଯ୍ୟ କରି ଏହି ସମୟ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଓଡ଼ିଶା ବିଲଡର ମହାସଂଘ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଓରେରା ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ୮ ଟିରୁ ଉର୍ଦ୍ଧ୍ବ ଫ୍ଲାଟ ତିଆରି ପାଇଁ ପ୍ରକଳ୍ପ ରେଜିଷ୍ଟ୍ରେସନ ଫି ପୂର୍ବରୁ ଖୁବ କମ ଟଙ୍କା ଥିଲା। ଏହି ଫି ପରିମାଣ ଏବେ ବୃଦ୍ଧି ପାଇଛି। ଓରେରା ପୂର୍ବରୁ ବର୍ଗ ମିଟର ପିଛା ୧୦ ଟଙ୍କା ନେଉଥିଲା; କିନ୍ତୁ ଏବେ ୨ ଶହ ଟଙ୍କାକୁ ବଢାଇ ଦେଇଛି। ଫି ବୃଦ୍ଧି ନେଇ ୨୦୨୨ ଜୁଲାଇ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହାକୁ ଚାଲେଞ୍ଜ କରିଛି ଓଡ଼ିଶା ବିଲଡର ମହାସଂଘ। ୨୦୧୬ ମସିହାରେ କେନ୍ଦ୍ର ସରକାର ଏହି ବିଲକୁ ସଂଶୋଧିତ କରି ରେରା ହାତରୁ ଏହି କ୍ଷମତା ଛଡାଇ ନେଇଛନ୍ତି। ଏପରି କ୍ଷମତା ନଥିବାବେଳେ ଜାରି ବିଜ୍ଞପ୍ତି ସମ୍ପୂର୍ଣ୍ଣ ବେଆଇନ ବୋଲି ଆବେଦନରେ ଦର୍ଶାଯାଇଛି। ଜାରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ପ୍ରାର୍ଥନା କରାଯାଇଛି।