ରାଞ୍ଚିରେ ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଳୁ, ଭାଇରସ୍‌ ଚିହ୍ନଟ ପରେ ମରାଗଲା ୨୧୯୬ ପକ୍ଷୀ, ଆଲର୍ଟ ଜାରି

ପୁଣି ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଲୁ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡ ଫ୍ଲୁ ବ୍ୟାପିଥିବା ଜଣାପଡ଼ିଛି । ସହରର ହୋଟୱାର ଅଞ୍ଚଳରେ ଥିବା ଆଞ୍ଚଳିକ କୁକୁଡ଼ା ଫାର୍ମରେ ୧୭୪୫ କୁକୁଡ଼ାଙ୍କ ସମେତ ମୋଟ ୨୧୯୬ ପକ୍ଷୀଙ୍କୁ ମରାଯାଇଛି ।

ପୁଣି ଆତଙ୍କ ସୃଷ୍ଟି କଲା ବାର୍ଡ ଫ୍ଲୁ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡ ଫ୍ଲୁ ବ୍ୟାପିଥିବା ଜଣାପଡ଼ିଛି । ସହରର ହୋଟୱାର ଅଞ୍ଚଳରେ ଥିବା ଆଞ୍ଚଳିକ କୁକୁଡ଼ା ଫାର୍ମରେ ୧୭୪୫ କୁକୁଡ଼ାଙ୍କ ସମେତ ମୋଟ ୨୧୯୬ ପକ୍ଷୀଙ୍କୁ ମରାଯାଇଛି । ଏହା ବ୍ୟତୀତ ୧୬୯୭ଟି ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ ଭୋପାଳସ୍ଥିତ ସରକାରୀ ଲାବୋରେଟୋରୀରେ କୁକୁଡ଼ାମାନଙ୍କ ନମୁନା ପରୀକ୍ଷା କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ନମୁନାରେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା H5N1 ଚିହ୍ନଟ ହୋଇଛି । ଏହି ଭାଇରାସ୍‌ ପକ୍ଷୀଙ୍କ ରୋଗର କାରକ । ଏ ନେଇ ଜିଲ୍ଲା ପ୍ରଶାସନ ସତର୍କତା ଜାରି କରିଛି । ଯେଉଁ ଅଞ୍ଚଳରେ ସଂକ୍ରମଣ ନିଶ୍ଚିତ ହୋଇଛି, ସେହି ସ୍ଥାନଠାରୁ ୧ କିଲୋମିଟର ଦୂରତା ମଧ୍ୟରେ କୁକୁଡ଼ା, କୁକୁଡ଼ା ଅଣ୍ଡା, ସେମାନଙ୍କ ସମ୍ବନ୍ଧିତ ଉତ୍ପାଦର କ୍ରୟ, ବିକ୍ରୟ ସହ ପରିବହନକୁ ତତ୍କାଳ ପ୍ରଭାବ ସହିତ ରୋକି ଦିଆଯାଇଛି ।

ରାଞ୍ଚି ଡେପୁଟି କମିଶନର ରାହୁଲ କୁମାର ସିହ୍ନା ରାପିଡ୍ ରେସପନ୍ସ ଟିମ୍ ଗଠନ କରିଛନ୍ତି । ପ୍ରତ୍ୟେକ ଟିମ୍‌ରେ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲା ପଶୁପାଳନ ଅଧିକାରୀ ଏବଂ ହୋଟୱାର ଆଞ୍ଚଳିକ କୁକୁଡ଼ା ଫାର୍ମର ସହାୟକ ନିର୍ଦ୍ଦେଶକଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆକ୍ସନ ପ୍ଲାନ୍‌ ଅନୁଯାୟୀ, ଆର୍‌ଆର୍‌ଟି ତରଫରୁ ହୋଟୱାରର ଅବଶିଷ୍ଟ ଫାର୍ମର କୁକୁଡ଼ାମାନଙ୍କୁ ମାରିବା, ବୈଜ୍ଞାନିକ ଉପାୟରେ ନଷ୍ଟ କରିବା ଏବଂ ଏହାପରେ ସଂକ୍ରମିତ ଅଞ୍ଚଳରେ ସମ୍ପୂର୍ଣ୍ଣ କ୍ଲିନିଂ ଓ ଡିସ୍‌ଇନ୍‌ଫେକ୍ସନର କାର୍ଯ୍ୟ କରାଯିବ ।

ଇପିସେଣ୍ଟରଠାରୁ ୧ କିଲୋମିଟର ଦୂରତା ମଧ୍ୟରେ କୁକୁଡ଼ା ଚାଷ ସମ୍ବନ୍ଧିତ ସର୍ବେକ୍ଷଣ କାର୍ଯ୍ୟ କରାଯିବ, ଯାହା ଦ୍ୱାରା ପ୍ରଶାସନିକ ସ୍ତରରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରିବ । ଇପିସେଣ୍ଟରଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତ କରି ଏହାକୁ ସର୍ଭିଲାନ୍ସ ଜୋନ୍ ଭାବରେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.