Below header

ଚୀନରେ କୋଭିଡ୍‌ ସ୍ଥିତି ବେହାଲ…ହସ୍ପିଟାଲ, ଶ୍ମଶାନରେ ଲମ୍ବା ଲାଇନ୍‌; ଦ୍ରୁତ ସଂକ୍ରମଣ ହେତୁ ମରିପାରନ୍ତି ଲକ୍ଷ ଲକ୍ଷ ଲୋକ

ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଚୀନର ବଡ଼ ବଡ଼ ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ, ସବୁଠି କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ପୁଣିଥରେ କରୋନା ବିସ୍ଫୋରଣ ହେବାର ସମ୍ଭାବନା ଉପୁଜିଛି। ବରିଷ୍ଠ ମହାମାରୀ ବିଶେଷଜ୍ଞ ଚୀନର ୬୦ ପ୍ରତିଶତ ଲୋକ କୋଭିଡ ସଂକ୍ରମିତ ହେବା ନେଇ ସମ୍ଭାବନା ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଏରିକ ଫିଗଲ-ଡିଙ୍ଗଙ୍କ କହିବା ହେଲା, ଦ୍ରୁତ ସଂକ୍ରମଣ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ।

ଚୀନରେ ସାଧାରଣ ଲୋକଙ୍କ ବିଦ୍ରୋହ ପରେ ବିନା କୌଣସି ପ୍ରସ୍ତୁତିରେ ଜିରୋ କୋଭିଡ୍ ପଲିସିରେ ଢ଼ିଲା ଦିଆଯାଇଛି, ଯାହାପରେ ଅନେକ ଅଞ୍ଚଳରେ କରୋନା ସଂକ୍ରମଣର ଗତି ବୃଦ୍ଧି ପାଇଥିବାର ଦେଖାଯାଇଛି।

ମହାମାରୀ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ ଅର୍ଥନୀତିଜ୍ଞ ଏରିକ ଫିଗଲ୍-ଡିଙ୍ଗ କହିଛନ୍ତି, ଚୀନରେ ହସ୍ପିଟାଲଗୁଡ଼ିକ ସମ୍ପୂର୍ଣ୍ଣ ଭରି ରହିଛି। ଏକ୍ସପର୍ଟ ଅନୁମାନ କରିଛନ୍ତି କି, ଆଗାମୀ ୯୦ ଦିନ ମଧ୍ୟରେ ଚୀନର ୬୦ ପ୍ରତିଶତରୁ ଅଧିକ ଏବଂ ବିଶ୍ୱର ୧୦ ପ୍ରତିଶତ ଲୋକ କୋଭିଡ୍‌ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସଂକ୍ରମଣର ଦ୍ରୁତ ବୃଦ୍ଧି ପରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଛି।

ଏକ ରିପୋର୍ଟ ମୁତାବକ, ନିକଟରେ ବେଜିଂର ଏକ ଶ୍ମଶାନ ଘାଟ ମୃତଦେହରେ ଭରି ରହିଥିବା ନଜର ଆସିଥିଲା, ଯାହାକି ଦେଶରେ ମହାମାରୀ ପ୍ରତିବନ୍ଧକକୁ ହଠାତ୍ ଢ଼ିଲା ଦେବା ଆଡ଼କୁ ଈଶାରା କରୁଛି। ଶ୍ମଶାନ ପରିସରରେ କାମ କରୁଥିବା ଲୋକଙ୍କ କହିବା ଅନୁସାରେ, ଚୀନ ରାଜଧାନୀର ପୂର୍ବରେ ଥିବା ବେଜିଂ ଡୋଙ୍ଗଜିଆଓ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଅନୁରୋଧଗୁଡ଼ିକ ବୃଦ୍ଧି ପାଇଛି। ବେଜିଂରେ ନନ୍‌ ଷ୍ଟପ୍‌ ଭାବେ କୋଭିଡ୍‌ ମୃତକଙ୍କ ଦାହ, ସଂସ୍କାର ଚାଲିଛି। ମୁର୍ଦ୍ଦାଘର ଓଭରଲୋଡ୍ ଥିବାବେଳେ ଶବଦାହ ପାଇଁ ଲମ୍ବା ଲାଇନ୍‌ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.