Below header

ମରିଗଲା ସମ୍ପର୍କ, ଘର ବାହାରେ ପୋଷ୍ଟର ମାରି ବୃଦ୍ଧ ଲେଖିଲେ- ‘ମୃତ୍ୟୁ ପରେ ମୋ ଶବକୁ ପୋଲିସକୁ ଦେଇଦେବ’

ଏବେ ଗୋଟେ ପଟେ କରୋନା ମହାମାରୀ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲୁଥିବା ବେଳେ ଅନ୍ୟପଟେ ସମ୍ପର୍କ ମଧ୍ୟ ଧୀରେ ଧୀରେ ନିଜ ଗୁରୁତ୍ୱ ହରାଇ ସାରିଲାଣି। ପିଲାମାନେ ଆଉ ବୃଦ୍ଧ ବାପା-ମା’ଙ୍କୁ ପଚାରୁ ନାହାନ୍ତି। ତାଙ୍କୁ ସେମିତି ମୃତ୍ୟୁ ମୁଖରେ ଛାଡ଼ି ଚାଲି ଯାଉଛନ୍ତି। ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି ଦିଲ୍ଲୀରୁ। ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଘର ସାମ୍ନାରେ ଲେଖିଥିଲେ ଯେ ମୋ ମୃତ୍ୟୁ ପରେ ଶବକୁ ପୋଲିସକୁ ଦେଇଦେବ। ଏହା ଦେଖିବା ପରେ ଜଣେ କନେଷ୍ଟବଳ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।

ରିପୋର୍ଟ ମୁତାବକ, ଦିଲ୍ଲୀର ରାଜେନ୍ଦ୍ର ନଗର ଥାନାକୁ ସୂଚନା ମିଳିଥିଲା ଯେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଘରେ ଏକୁଟିଆ ରହୁଛନ୍ତି। ସେଠାରେ ତାଙ୍କ ଯତ୍ନ ନେବାକୁ କେହି ନାହାନ୍ତି। ଏ ନେଇ ଜାଣିବା ପରେ କନେଷ୍ଟବଳ ରାଜୁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଘର ସାମ୍ନାରେ ଲାଗିଥିବା ଏକ ପୋଷ୍ଟର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପୋଷ୍ଟରରେ ଲେଖାଥିଲା- ଯଦି ମୋର ମୃତ୍ୟୁ ହେଉଛି ତେବେ ଶବକୁ ଅନ୍ତିମ ସଂସ୍କାର ପାଇଁ ପୋଲିସକୁ ହସ୍ତାନ୍ତର କରି ଦେବ।

police
Image Credit: aajtak

କନେଷ୍ଟବଳ ରାଜୁ ଘର ଭିତରକୁ ପ୍ରବେଶ କରିବା ପରେ ସେଠାରେ ଜଣେ ମୁର୍ମୂଷୁ ବୃଦ୍ଧ ଖଟରେ ଶୋଇଥିବା ଦେଖିବାକୁ ପାଇଥିଲେ। ସେ ତାଙ୍କ ସହ କଥାବାର୍ତ୍ତା କରି ଜାଣିବାକୁ ପାଇଥିଲେ ଯେ ବୃଦ୍ଧଙ୍କ ନାଁ ମୁରଲୀଧର। ରାଜୁ ତାଙ୍କୁ ମେଡିକାଲ ନେବାକୁ ଚାହିଁଥିଲେ। ମାତ୍ର ବୃଦ୍ଧ ମନା କରିଥିଲେ। ଏ ନେଇ ରାଜୁ ତାଙ୍କ ପରିଜନଙ୍କୁ ସୂଚନା ଦେଇଥିଲେ। ମୁରଲୀଧରଙ୍କ ୩ଟି ଝିଅ। ସମସ୍ତେ ବିବାହିତା। ଦୁଇ ଜଣ ଦିଲ୍ଲୀରେ ରହୁଥିବା ବେଳେ ଆଉ ଜଣେ ବାହାରେ ରହୁଛନ୍ତି। କାଲକାଜୀରେ ରହୁଥିବା ଝିଅ ପୋଲିସକୁ ଏନେଇ ସୂଚନା ଦେଇଥିଲେ।

ପରେ ରାଜୁ ନିଜ ସାଥୀ କନେଷ୍ଟବଳ ପ୍ରଦୀପଙ୍କ ସହ ମିଶି ବୃଦ୍ଧଙ୍କୁ ମେଡିକାଲ ନେଇ ଯାଇଥିଲେ। ଉଭୟେ ପିପିଇ କିଟ୍‌ ପିନ୍ଧି ବୃଦ୍ଧଙ୍କୁ ମେଡିକାଲ ନେଇଥିଲେ। ସେଠାରେ ପରୀକ୍ଷା ପରେ ଜଣା ପଡ଼ିଛି ଯେ ବୃଦ୍ଧଙ୍କ ଛାତିରେ ଇନ୍‌ଫେକସନ୍‌ ହୋଇଛି। ଏବେ ସେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ସାହାଯ୍ୟ ପରେ ରାଜୁଙ୍କୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.