Below header

ଆରପାରିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍, ରାଜନୈତିକ ମହଲରେ ଶୋକର ଛାୟା

ପରଲୋକରେ ଶୀଲାଦିକ୍ଷୀତ। ବରିଷ୍ଠ କଂଗ୍ରେସ ନେତା ତଥା ନୂଆଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲାଙ୍କର ୮୧ବର୍ଷ ବୟସରେ ନିଧନ ଘଟିଛି। ନୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନରୁ ଅସୁସ୍ଥ ଥିବା ଶୀଲାଙ୍କର ହୃହଘାତରେ ଦିନ ସାଢେ ୩ଟାରେ ନିଧନ ହୋଇଛି। ଡାକ୍ତରଖାନାରୁ ତାଙ୍କ ପାର୍ଥିବ ଶରୀରରୁ ନିଜାମୁଦ୍ଦିନ ସ୍ଥିତ ବାସଭବନକୁ ନିଆଯାଇଛି।
୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଶୀଲା। ତାଙ୍କ ନେତୃତ୍ୱରେ କଂଗ୍ରେସ ଲଗାତାର ତିନିଥର ଦିଲ୍ଲୀରେ ସରକାର ଗଠନ କରିଥିଲା। ଦୀର୍ଘ ୧୫ବର୍ଷ ଶାସନ ଭାର ସମ୍ଭାଳି ସେ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ। ତାଙ୍କ ଶାସନକାଳରେ ନୂଆଦିଲ୍ଲୀର ନବକଳେବର ଘଟିଥିଲା। ବିକାଶର ବିଭିନ୍ନ କାର୍ଯ୍ୟକୁ ସେ ପ୍ରାଧାନ୍ୟ ଦେଇଥିଲେ। ଦିଲ୍ଲୀରେ ମେଟ୍ରୋ ରେଲର ପରିକଳ୍ପନା ଓ କାର୍ଯ୍ୟକାରିତା ଶୀଲାଙ୍କ ପାଇଁ ସମ୍ଭବ ହୋଇଥିଲା। ମେଟ୍ରୋ ସହ ସିଏନ୍‌ଜି, ଦିଲ୍ଲୀରେ ସବୁଜିମା ସୃଷ୍ଟି କରିବା, ସ୍କୁଲ ଏବଂ ହସ୍ପିଟାଲ ପାଇଁ ତାଙ୍କ କାମ ବେଶ ଲୋକପ୍ରିୟ ଥିଲା।

୧୯୮୪ରେ ସେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର କନୌଜରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟ ମଧ୍ୟରେ ମହିଳାଙ୍କ ସ୍ଥିତି ନେଇ ସେ ଜାତିସଂଘରେ ପ୍ରତିନିଧିତ୍ୱ କରିଥିଲେ। ୧୯୯୮ ସାଧାରଣ ନିର୍ବାଚନରେ ସେ ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ବିଜେପିର ଲାଲ ବିହାରୀ ତିୱାରୀଙ୍କୁ ପରାସ୍ତ କରିଥିଲେ। ପରେ ସେହିବର୍ଷ ହିଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।… ଲମ୍ବା ରାଜନୈତିକ କ୍ୟାରିଅରରେ ଅନେକ ସମାଲୋଚନାର ମଧ୍ୟ ଶିକାର ହୋଇଥିଲେ ଶୀଲା।

୨୦୦୯ରେ ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମନୁଶର୍ମାଙ୍କ ପାରୋଲ ଓ ୨୦୧୦ରେ ନୂଆଦିଲ୍ଲୀ କମନୱେଲଥ୍‌ ଗେମସ ଦୁର୍ନୀତି ନେଇ ନିନ୍ଦିତ ହୋଇଥିଲେ। ପରେ ୨୦୧୪ ମାର୍ଚ୍ଚରେ ସେ କେରଳର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ସକ୍ରିୟ ରାଜନୀତି ପାଇଁ ଅଗଷ୍ଟ ମାସରେ ପଦରୁ ଇସ୍ତଫା ଦେଇଥିଲେ। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ତେବେ ଦଳ ସଫଳତା ଲାଭ କରିପାରିନଥିଲା। ୨୦୧୯ ଜାନୁଆରିରେ ସେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତ ହୋଇଥିଲେ।

କଂଗ୍ରେସର ପ୍ରଭାବଶାଳୀ ନେତା ଶୀଲାଙ୍କର ଜନ୍ମ ୧୯୩୮ ମସିହା ମାର୍ଚ୍ଚ ୩୧ ତାରିଖରେ ପଞ୍ଜାବର କପୁରତାଲାରେ ହୋଇଥିଲା। ନୂଆଦିଲ୍ଲୀର କନଭେଣ୍ଟ ଅଫ ଜେସସ ଆଣ୍ଡ ମ୍ୟାରି ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ ମିରାଣ୍ଡା ହାଉସରୁ ଇତିହାସରେ ସ୍ନାତକ ହାସଲ କରିଥିଲେ। ଆଇଏଏସ ଅଧିକାରୀ ବିନୋଦ ଦିକ୍ଷୀତଙ୍କୁ ବିବାହ କରିଥିଲେ ଶୀଲା। ଦୁଇସନ୍ତାନଙ୍କ ମଧ୍ୟରେ ପୁଅ ସନ୍ଦୀପ ଦିକ୍ଷୀତ କଂଗ୍ରେସର ସାଂସଦ ଭାବେ କାର୍ଯ୍ୟ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.