ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଅଭିଜିତ୍ ମୁଖାର୍ଜୀ ୨୦୧୨ ଓ ୨୦୧୪ ମସିହାରେ କଂଗ୍ରେସ ଟିକେଟ୍ରେ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୧୯ ରେ ସେ ଏହି ସିଟ୍ରୁ କଂଗ୍ରେସ ତରଫରୁ ଲଢ଼ିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପରାଜୟ ବରଣ କରିଥିଲେ।
ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଅନେକ ନେତା ଟିଏମ୍ସିର ମଙ୍ଗ ଧରିଥିଲେ। ନିକଟରେ ମୁକୁଲ ରାୟ ବିଜେପିରୁ ଟିଏମ୍ସିକୁ ଫେରିଥିଲେ। ଏବେ ଅଭିଜିତ୍ ମୁଖାର୍ଜୀ ମଧ୍ୟ ଟିଏମ୍ସିରେ ଯୋଗ ଦେଇଛନ୍ତି।
ନିକଟ ଅତୀତରେ ଅଭିଜିତ୍ ବାନାର୍ଜୀ ନକଲି ଟିକାକରଣ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ। ସେ ଟ୍ଵିଟ୍ କରି କହିଥିଲେ, ଆଉ କାହାର ଭୁଲ କାର୍ଯ୍ୟକଳାପ ପାଇଁ ପଶ୍ଚିମବଙ୍ଗ ଓ ମମତା ବାନାର୍ଜୀଙ୍କୁ ଦୋଷୀ କହିବା ଉଚିତ୍ ନୁହେଁ। ଯଦି ସେମିତି ହେବ ତେବେ ମେହୁଲ ଚେକସୀ, ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ସହ ଜଡ଼ିତ ମାମଲାରେ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଦୋଷୀ ବୋଲି କୁହାଯାଉ।