ଭାରତ ଫେରୁଛନ୍ତି କିଭ୍‌ରେ ଗୁଳିମାଡ଼ର ଶିକାର ହୋଇଥିବା ହରଜୋତ୍‌ ସିଂହ, ଭିଡିଓ ଜାରି କରି କହିଲେ ୟୁକ୍ରେନ୍‌ରୁ ଫେରିବା କାହାଣୀ

ଭାରତ ଫେରୁଛନ୍ତି ୟୁକ୍ରେନ୍‌ରେ ଗୁଳିମାଡ଼ରେ ଗୁରୁତର ହୋଇଥିବା ଛାତ୍ର ହରଜୋତ ସିଂହ। ହରଜୋତ୍‌ଙ୍କର ଏକ ତାଜା ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ସେ ଆମ୍ବୁଲାନ୍ସରେ ବସି ପୋଲାଣ୍ଡ ଯାତ୍ରା କରୁଥିବା ଦେଖାଯାଇଛି। ପୋଲାଣ୍ଡରୁ ବିମାନ ଯୋଗେ ତାଙ୍କୁ ଭାରତ ଅଣାଯିବ। ଆମ୍ବୁଲାନ୍ସରେ ବସିଥିବା ହରଜୋତ୍‌ ଅତି ଦୁର୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି- ଏବେ ସବୁ କିଛି ଠିକ୍‌ ଅଛି। କିନ୍ତୁ ଏହି ଯାତ୍ରା ବହୁତ କଷ୍ଟକର ଥିଲା। ଯେମିତି ବି ହେଉ ମୁଁ ଘରକୁ ଫେରିବାକୁ ଚାହୁଁଥିଲି। ସେ କହିଛନ୍ତି, ଭାରତରେ ପହଞ୍ଚିଗଲେ ସମସ୍ତଙ୍କୁ ଭେଟିବି।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ବିକେ ସିଂହ ଟ୍ଵିଟ୍‌ କରି କହିଥିଲେ- ହରଜୋତ୍‌ ସିଂହ ହେଉଛନ୍ତି ସେହି ଭାରତୀୟ, ଯାହାକୁ ୟୁକ୍ରେନ୍‌ରେ ଗୁଳି ଲାଗିଛି। ଦୌଡ଼ା ଦୌଡ଼ିରେ ତାଙ୍କ ପାସ୍‌ପୋର୍ଟ ମଧ୍ୟ ହଜି ଯାଇଥିଲା। ଆସନ୍ତାକାଲି ହରଜୋତ୍‌ ଭାରତରେ ପହଞ୍ଚିବେ। ଆଶା କରୁଛୁ ତାଙ୍କୁ ଘରୋଇ ଖାଦ୍ୟ ମିଳିବ ଓ ଶୀଘ୍ର ସେ ସୁସ୍ଥ ହେବେ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ବାସିନ୍ଦା ହରଜୋତ୍‌ ସିଂହ ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳେ ଏକ ସାଙ୍ଗ ସହ ଭାରତକୁ ଫେରୁଥିଲେ। ଟ୍ରେନ୍‌ରେ ଜାଗା ନ ମିଳିବାରୁ ସେ ପୋଲାଣ୍ଡ ବର୍ଡ଼ର ପର୍ଯ୍ୟନ୍ତ ଯିବାକୁ କ୍ୟାବ୍‌ ବୁକ୍‌ କରିଥିଲେ। କିନ୍ତୁ ରାସ୍ତାରେ ତାଙ୍କୁ ଅଟକାଇ ଫେରିଯିବାକୁ କୁହାଯାଇଥିଲା। କ୍ୟାବ୍‌ ୟୁଟର୍ଣ୍ଣ ନେବା ବେଳେ ଫାୟାରିଂ କରାଯାଇଥିଲା। ଏହି ସମୟରେ ହରଜୋତଙ୍କୁ ଗୁଳି ଲାଗିଥିଲା ଓ ସେ ଗୁରୁତର ହୋଇଯାଇଥିଲେ। ଏତିକି ବେଳେ ତାଙ୍କ ପାସ୍‌ପୋର୍ଟ ବି କୁଆଡ଼େ ହଜିଯାଇଥିଲା।


ଏ ନେଇ ସୂଚନା ମିଳିବା ପରେ ଭାରତ ସରକାର ହରଜୋତଙ୍କୁ ପୁଣିଥରେ ଦେଶକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲେ। ଦୂତାବାସ ମାଧ୍ୟମରେ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଫଳରେ ଆଜି ସେ ଭାରତ ଫେରୁଛନ୍ତି।

Also Read: ଯୁଦ୍ଧ ରୋକିବ ଭାରତ! ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେବେ ପିଏମ୍‌ ମୋଦି