କ’ଣ ଆପଣ ଦେଖିଛନ୍ତି ଶୂନ ଟଙ୍କିଆ ନୋଟ୍‌? ଜାଣନ୍ତୁ କିଏ ଏହାକୁ ଆରମ୍ଭ କରିଥିଲେ, ଆଶ୍ଚର୍ଯ୍ୟଜନକ ରହିଛି ଏହା ପଛର କାହାଣୀ

ଭାରତରେ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧ ଟଙ୍କାରୁ ନେଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ଛାପିଥାଏ। ଲୋକେ ଏହି ନୋଟଗୁଡିକୁ ବ୍ୟବହାର କରି ଦୈନନ୍ଦିନ ଆବଶ୍ୟକତା ଏବଂ ଅନ୍ୟାନ୍ୟ ସୁବିଧାର ଲାଭ ଉଠାଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦେଶରେ ଶୂନ (0) ଟଙ୍କିଆ ନୋଟ୍ ମଧ୍ୟ ଛପା ହୋଇଛି? ଆଜି ଆମେ ଆପଣଙ୍କୁ ଶୂନ ଟଙ୍କିଆ ନୋଟର ପୂରା କାହାଣୀ କହିବାକୁ ଯାଉଛୁ।

ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଛପା ଯାଇଥିଲା ଏହି ନୋଟ୍

ଆପଣଙ୍କୁ କହି ରଖୁଛୁ, ଶୂନ ଟଙ୍କିଆ ଏହି ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ମଧ୍ୟ ଛପା ହୋଇଛି ଏବଂ ଏହା ଦେଖିବାରେ ବିଲକୁଲ ଅନ୍ୟ ନୋଟ ପରି ହିଁ ରହିଛି। କିନ୍ତୁ ଆପଣ ଭାବୁଥିବେ ଯେ ଶୂନ ଟଙ୍କିଆ ନୋଟ୍ କାହିଁକି ଆରମ୍ଭ କରାଯାଇଥିଲା। ଏହି ନୋଟ ସାହାଯ୍ୟରେ କ’ଣ କିଣାଯାଇ ପାରିବ? କହି ରଖୁଛୁ କି, ଏହି ନୋଟ୍ ଆରବିଆଇ ଜାରି କରି ନ ଥିଲା। ବାସ୍ତବରେ, ଏହାକୁ ଦୁର୍ନୀତି ବିରୋଧୀ ଏକ ଅଭିଯାନ ଅଧୀନରେ ତିଆରି କରାଯାଇଥିଲା।

୫ ଲକ୍ଷ ନୋଟ୍ ଛପା ଯାଇଥିଲା

ଦୁର୍ନୀତି ବିରୋଧରେ ଏହି ନୋଟକୁ ଏକ ସଂସ୍ଥା ଅସ୍ତ୍ର ଭାବରେ ଆରମ୍ଭ କରିଥିଲା। ଏହି ଧାରଣା ୨୦୦୭ ମସିହାରେ ଦକ୍ଷିଣ ଭାରତର ଏକ ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେସନ (ଏନଜିଓ)ର ଥିଲା। ତାମିଲନାଡୁସ୍ଥିତ 5th Pillar ନାମକ ଏହି ଏନଜିଓ ପାଖାପାଖି ୫ ଲକ୍ଷ ଶୂନ ଟଙ୍କିଆ ନୋଟ ଛାପିବା କାମ କରିଥିଲା। ଚାରୋଟି ଭାଷା ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ରେ ଏହି ନୋଟ୍‌ ଛପାଯାଇ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।

ନୋଟରେ ଦୁର୍ନୀତି ବିରୋଧରେ ଲେଖା ଯାଇଥିଲା ଅନେକ ବାର୍ତ୍ତା

ଦୁର୍ନୀତି ବିରୋଧରେ ତିଆରି ଏହି ନୋଟରେ ଅନେକ ବାର୍ତ୍ତା ଲେଖା ଯାଇଥିଲା, ଯେଉଁଥିରେ ‘ଦୁର୍ନୀତି ଶେଷ କର’, ‘ଯଦି କେହି ଲାଞ୍ଚ ମାଗେ, ତ ଏହି ନୋଟ୍ ଦିଅ ଏବଂ ମାମଲା ବିଷୟରେ ଆମକୁ କୁହ’, ‘ନେବି ନାହିଁ କି ଦେବି ନାହିଁର ଶପଥ କରୁଛି’ ଆଦି ବାର୍ତ୍ତା ରହିଥିଲା। ଶୂନ ଟଙ୍କିଆ ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ମଧ୍ୟ ଛପା ଯାଇଥିଲା ଏବଂ ନୋଟର ଡାହାଣ ପାର୍ଶ୍ୱ ତଳେ ସଂସ୍ଥାର ଫୋନ୍ ନମ୍ବର ଏବଂ ଇମେଲ୍ ଆଇଡି ଛପା ହୋଇଥିଲା।

ଲାଞ୍ଚ ମାଗୁଥିବା ଲୋକଙ୍କୁ ଦେଉଥିଲେ ଏହି ଖାସ୍‌ ନୋଟ୍‌

5th Pillar ନାମକ ସଂସ୍ଥା ହିଁ ଶୂନ ଟଙ୍କିଆ ନୋଟ୍‌ ଛାପିଥିଲା ଏବଂ ଯିଏ ଲାଞ୍ଚ ମାଗୁଥିଲା, ତାଙ୍କୁ ଏହି ନୋଟ୍‌ ଦେଉଥିଲା। ଶୂନ ଟଙ୍କିଆ ନୋଟ୍ ଦୁର୍ନୀତି ବିରୋଧରେ ଅଭିଯାନର ପ୍ରତୀକ ଥିଲା। ଏହି ସଂସ୍ଥାର ତାମିଲନାଡୁର ଅନେକ ଜିଲ୍ଲାରେ କେନ୍ଦ୍ର ଥିଲା। ଏହାର ମୁଖ୍ୟାଳୟ ଚେନ୍ନାଇରେ ରହିଛି। ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ ଏବଂ ରାଜସ୍ଥାନର ପାଲିରେ ମଧ୍ୟ ଏହାର କେନ୍ଦ୍ର ରହିଛି।