କାର୍‌ରେ ଆସିଲେ ଅଟୋରୁ ଲୁଟିଲେ, ପରିବା ବ୍ୟବସାୟୀଙ୍କ ଠାରୁ ଛଡ଼ାଇ ନେଲେ ଟଙ୍କା

ଆନନ୍ଦପୁର (କେନ୍ୟୁଜ୍‌) : ଜଣେ ପରିବା ବ୍ୟବସାୟୀ ପରିବା କିଣିବା ପାଇଁ ନିଜ ଅଟୋରେ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ । ସେମାନେ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟି ପଳାଇ ଯାଇଛନ୍ତି । ତେବେ ଦୁର୍ବୃତ୍ତମାନେ ଆସିଥିଲେ ଦାମୀ କାର୍‌ରେ ।

ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ । ଏଠାକାର ବେଲସୁନ୍ଦରୀ ଗାଁ ନିକଟରେ ଜଣେ ବ୍ୟବସାୟୀଙ୍କ ଅଟୋ ଅଟକାଇ ୧୫ ହଜାର ଟଙ୍କା ସହ ମୋବାଇଲ ଲୁଟ୍‌ କରି ନେଇଛନ୍ତି ଲୁଟେରା। ଆଜି ସକାଳେ ଯାଜପୁର ଜିଲ୍ଲା ଚିତ୍ରି ଗାଁର ଏହି ପରିବା ବ୍ୟବସାୟୀ ନିଜ ଅଟୋ ଯୋଗେ ପରିବା ଆଣିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟରେ ଗୋଟିଏ କାରରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ୧୫ ହଜାର ଟଙ୍କା ଏବଂ ତାଙ୍କ ମୋବାଇଲ ଲୁଟି ନେଇଛନ୍ତି। ବ୍ୟବସାୟୀ ଜଣକ ରାମଚନ୍ଦ୍ରପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସିସି ଟିଭି ଯାଞ୍ଚ କରି ଅଧିକ ତଦନ୍ତ କରୁଛି।

ବ୍ୟବସାୟୀ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରି ଗାଁର କାହ୍ନୁଚରଣ ବାରିକ । ସେ ଆଜି ଭୋର ୫.୨୫ ମିନିଟ୍ ସମୟରେ ନିଜ ତିନି ଚକିଆ ଡାଲା ଅଟୋ ଯୋଗେ ଗଡବନ୍ଧଗୋଡା ରାମଚନ୍ଦ୍ରପୁର ରାସ୍ତା ଦେଇ ଯାଉଥିଲେ । ସେଠାରୁ ଯାଜପୁର ରୋଡକୁ ପରିବା ଆଣିବାକୁ ଯାଉଥିବା ବେଳେ ତାଙ୍କୁ ଏକ ଧଳା ରଙ୍ଗର କାର ତାଙ୍କ ପିଛା କରି ବେଲସୁନ୍ଦରୀ ଛକ ନିକଟରେ ଅଟୋକୁ ଅଟକାଇ ଦେଇଥିଲେ । ଅଟୋ ସାମନାରେ କାର୍‌କୁ ରଖି ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ଏବଂ ମୋବାଇଲ ଲୁଟି ନେଇ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ନିରୁପାୟ ହୋଇ ଅଟୋ ଚାଳକ ଲୁଟ ସମ୍ବନ୍ଧରେ ନିକଟସ୍ଥ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା ଏକ ମାମଲା ରୁଜୁକରି ଛନ୍ତି । ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରାସ୍ତା ପାଖ ଦୋକାନର ସିସିଟିଭି ଫୁଟେଜ୍ ଆଧାରରେ ଧଳା ରଙ୍ଗର କାର୍‌୍‌କୁ ଖୋଜୁଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.