ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର: ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଓ ଡିକେ ଶିବକୁମାର। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀ : ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୈୟା ଓ ଡିକେ ଶିବକୁମାର । ଅପରାହ୍‌ଣ ୧୨ଟା ୩୦ରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ପାଇଁ ବେଙ୍ଗାଲୁରୁ ଶ୍ରୀ କାନ୍ତିରବା ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ସରିଛି । କିଛି ମନ୍ତ୍ରୀ ବି ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ସ୍ଥଳରୁ ବିରୋଧୀ ଏକତାର ବାର୍ତ୍ତା ଦେବାକୁ ଚାହୁଁଛି କଂଗ୍ରେସ ।

ଉତ୍ସବରେ ସାମିଲ ହେବେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ଵାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି, ବାମ ଦଳର ଡି ରାଜା ଓ ସୀତାରାମ ୟେଚୁରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ୩ କଂଗ୍ରେସ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଅଶୋକ ଗେହଲଟ ଓ ସୁଖଓ୍ଵିନ୍ଦର ସିଂ ସୁଖୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ତେବେ କିଛି ପ୍ରମୁଖ ବିରୋଧୀ ଦଳର ନେତାଙ୍କ ନାଁ ଅତିଥି ତାଲିକାରେ ନାହିଁ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବି ନିମନ୍ତ୍ରିତ ହୋଇ ନାହାନ୍ତି । ମମତା ବାନାର୍ଜୀ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆସୁ ନାହାନ୍ତି । ତାଙ୍କୁ ନିମନ୍ତ୍ରଣ ଥିଲେ ବି ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅନ୍ୟ କାର୍ଯ୍ୟ ପାଇଁ ଆସୁନଥିବା କହିଛନ୍ତି । ନିଜର ପ୍ରତିନିଧି ଭାବେ କାକଲି ଘୋଷଙ୍କୁ ପଠାଇବେ ଦିଦି । କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ, ବହୁଜନ ସମାଜ ପାର୍ଟି ମାୟାବତୀଙ୍କ ନାଁ ଅତିଥି ତାଲିକାରୁ ବାଦ ପଡ଼ିଛି।

You might also like