ପ୍ରବଳ ବର୍ଷାରେ କେରଳ ହାଲ୍ ବେହାଲ୍, ବିଭିନ୍ନ ସ୍ଥାନରେ ଭୂସ୍ଖଳନ
କେରଳ: ଭାସୁଛି ଦେବଭୂମି। ଲଗାଣ ବର୍ଷାରେ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର। ଚାରିଆଡ ଜଳାର୍ଣ୍ଣବ। ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି। ରାସ୍ତାଘାଟ, ସହର ବଜାର ବୁଡ଼ିଛି। ଓ୍ଵାଇନାଡ୍, ଇଦୁକି, ମଲାପୁରମ୍ ଓ କୋଝିକୋଡ ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ଆଲର୍ଟ। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଏପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଖଳନରେ କେରଳରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ବହୁ ଲୋକ ନିଖୋଜ ହୋଇଛନ୍ତି। ଜଳବନ୍ଦୀଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସେନା ସମେତ ଏନଡିଆରଏଫ୍ ଟିମ୍। ବିଭିନ୍ନ ଜିଲ୍ଲାରୁ ୨୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ କୋଟି ବିମାନବନ୍ଦରରେ ପାଣି ଜମି ରହିବାରୁ ବିମାନ ଚଳାଚଳ ଠପ୍। ଆସନ୍ତା ରବିବାର ପର୍ଯ୍ୟନ୍ତ କୋଟି ବିମାନବନ୍ଦରରୁ ଉଡ଼ାଣକୁ ରଦ୍ଦ କରି ଦିଆଯାଇଛି। ସେହିପରି ଲଗାଣ ବର୍ଷାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼ରେ ବି ସଙ୍ଗୀନ ସ୍ଥିତି। ବନ୍ୟା ଘେରରେ ରହିଛନ୍ତି ହଜାର ହଜାର ଲୋକ। ସେନା, ବାୟୁସେନା ଓ ଏନଡିଆରଏଫ୍ ପକ୍ଷରୁ ସେସବୁ ରାଜ୍ୟର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜାରି ରହିଛି ଉଦ୍ଧାର ଅଭିଯାନ।