ଉଗ୍ର ହେଉଛି ହିଜାବ ବିବାଦ: କଲେଜରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ

ହିଜାବ ବିବାଦରେ ଧାରଣା ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ ଓ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କର୍ଣ୍ଣାଟକ ପୋଲିସ ତୁମକରରେ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିବା ୧୦ ଜଣ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେହିପରି ଶିବମୋଗା ଜିଲ୍ଲାରେ ଏକ ପ୍ରି-ୟୁନିଭର୍ସିଟି କଲେଜର ୫୮ ଛାତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରୁଥିବା କାରଣରୁ ନିଲମ୍ବିତ କରାଯାଇଛି।

ସେହିପରି କର୍ଣ୍ଣାଟକର ମଦିକେରୀ ଜିଲ୍ଲାର ଏକ ଜୁନିୟର କଲେଜର ପ୍ରିନ୍ସିପାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଅଭିଯୋଗ ହୋଇଛି ଯେ ପ୍ରିନ୍ସିପାଲ ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କୁ କଲେଜରୁ ଘରକୁ ପଠାଇ ଦେଇଥିଲେ। ଏହା ପରେ ତାଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ପ୍ରିନ୍ସିପାଲ ପୋଲିସରେ ଅଭିଯୋଗ କରିଛନ୍ତି।

ନିକଟରେ ତୁମକୁରରେ ଗର୍ଲସ ଏମ୍ପ୍ରେସ୍‌ ଗଭର୍ଣ୍ଣମେଣ୍ଟ ପିୟୁ କଲେଜ ବାହାରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଛାତ୍ରୀଙ୍କ ବିରୋଧରେ ନିଷେଧାଜ୍ଞା ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି, ବାହାର ଲୋକ ମଧ୍ୟ ଏହି ପ୍ରଦର୍ଶନର ସାମିଲ ହୋଇଥିଲେ। ଫଳରେ ଦ୍ୱନ୍ଦ୍ୱ ଉପୁଜିଛି। ଯଦି କଲେଜ ପ୍ରଶାସନ, ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ମାମଲାକୁ ତୁଟାଇ ପାରୁଥାନ୍ତେ ତେବେ ମାମଲା କେବେ ଠୁ ସମାଧାନ ହୋଇସାରିନ୍ତାଣି। ସବୁ ଘଟଣା ବିଷୟରେ ଠିକ୍‌ ଭାବେ ବୁଝିବା ପରେ ଏ ନେଇ କିଛି କହିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ହିଜାବ ବିବାଦକୁ ନେଇ ଏବେ ବି ହାଇକୋର୍ଟରେ ଶୁଣାଣି ଜାରି ରହିଛି। କୋର୍ଟଙ୍କ ଶେଷ ନିର୍ଦ୍ଦେଶ ମୁତାବକ, ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ହିଜାବ, ବୁର୍ଖା ଓ କେଶର ରଙ୍ଗର ଗାମୁଛା ଆଦି ପିନ୍ଧିବା ଉପରେ ରୋକ୍‌ ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.