ଛତିଶଗଡ଼: ନକ୍ସଲ ଏନ୍‌କାଉଣ୍ଟର ବେଳେ ଭାଲୁ ଆକ୍ରମଣ, ଦାନ୍ତରେ କାମୁଡ଼ି ଯବାନଙ୍କୁ କଲା ଗୁରୁତର

ଛତିଶଗଡ଼ର ନାରାୟଣପୁର ଓ କାଙ୍କେର ଜିଲ୍ଲାର ସୀମାରେ ମଙ୍ଗଳବାର ଏକ ଏନ୍‌କାଉଣ୍ଟର ହୋଇଥିଲା । ସୂତ୍ରରୁ ଜଣାପଡ଼ିଛି ଯେ ଏଥିରେ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ର ଜଣେ ଯବାନଙ୍କୁ ନକ୍ସଲମାନଙ୍କ ସାଙ୍ଗକୁ ଜଙ୍ଗଲି ଭାଲୁ ସହିତ ମଧ୍ୟ ଲଢ଼ିବାକୁ ପଡ଼ିଥିଲା । ଜଙ୍ଗଲରେ ଗୁଳି ବିନିମୟ ବେଳେ ୩ଟି ଭାଲୁ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ ।

ଛତିଶଗଡ଼ର ନାରାୟଣପୁର ଓ କାଙ୍କେର ଜିଲ୍ଲାର ସୀମାରେ ମଙ୍ଗଳବାର ଏକ ଏନ୍‌କାଉଣ୍ଟର ହୋଇଥିଲା । ସୂତ୍ରରୁ ଜଣାପଡ଼ିଛି ଯେ ଏଥିରେ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ର ଜଣେ ଯବାନଙ୍କୁ ନକ୍ସଲମାନଙ୍କ ସାଙ୍ଗକୁ ଜଙ୍ଗଲି ଭାଲୁ ସହିତ ମଧ୍ୟ ଲଢ଼ିବାକୁ ପଡ଼ିଥିଲା । ଜଙ୍ଗଲରେ ଗୁଳି ବିନିମୟ ବେଳେ ୩ଟି ଭାଲୁ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଯବାନ ଗୁରୁତର ଆହତ ହୋଇଥିଲେ ।

ଭାଲୁ ଆକ୍ରମଣର ଶିକାର ହୋଇଥିବା ଯବାନ ହେଲେ, ମଙ୍ଗଲ ମାଣ୍ଡଭି । ତାଙ୍କୁ ଗମ୍ଭୀର ଆଘାତ ଲାଗିଛି । ତାଙ୍କ ଗୋଡ଼କୁ ଭାଲୁ ଦାନ୍ତରେ କାମୁଡ଼ି କ୍ଷତାକ୍ତ କରି ପକାଇଛି । ଆହତ ଯବାନଙ୍କୁ ବୁଧବାର ହେଲିକପ୍ଟର ଯୋଗେ ନାରାୟଣପୁର ଅଣାଯାଇଥିଲା । ଏଠାରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ କହିଛି ଯେ ବର୍ତ୍ତମାନ ଯବାନଙ୍କ ଅବସ୍ଥା ସ୍ଥିର ଅଛି ।

ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନକ୍ସଲଙ୍କ ଗଡ଼ ଭାବରେ ଜଣାଯାଉଥିବା ଅଭୁଜମଦ ଅଞ୍ଚଳର କାକୁର ଏବଂ ଟେକମେତା ଗ୍ରାମ ମଧ୍ୟବର୍ତ୍ତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୧୦ ଜଣ ନକ୍ସଲ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ମହିଳା ନକ୍ସଲ ମଧ୍ୟ ଅଛନ୍ତି । ଏହି ଅପରେସନ୍ ଏସଟିଏଫ୍ ଏବଂ ଜିଲ୍ଲା ରିଜର୍ଭ ଗାର୍ଡ ମିଳିତ ଭାବରେ କରିଥିଲା, ଯେଉଁଥିରେ ମଙ୍ଗଲ ମାଣ୍ଡଭି ସାମିଲ ଥିଲେ ।

ମାଣ୍ଡଭି କହିଛନ୍ତି ଯେ ବାଉଁଶ ଗଛରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ଯେତେବେଳେ ଆମେ ଗୁଳି ଚଳାଇବାରେ ବ୍ୟସ୍ତ ଥିଲୁ, ସେହି ସମୟରେ ତିନୋଟି ଭାଲୁ ଆମ ପଛରେ ଆସିଥିଲେ । ଯେତେବେଳେ ସେ ବାଉଁଶ ବୁଦା ପଛରେ ଲୁଚିବାକୁ ଚେଷ୍ଟା କରୁଥିଲେ, ସେହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଏକ ଗୋଡକୁ ଭାଲୁଟି ଦାନ୍ତରେ କାମୁଡ଼ି ଧରି ଟାଣିବାକୁ ଲାଗିଥିଲା ।

ମାଣ୍ଡଭି କହିଥିଲେ କି, କୌଣସି ପ୍ରକାରେ ସେ ଭାଲୁକୁ ବାଡ଼ିରେ ପିଟି ତା’ କବଳରୁ ନିଜକୁ ରକ୍ଷା କରିଥିଲେ ଏବଂ ସେଠାରୁ ପଳାଇ ଯାଇଥିଲେ । ଭାଲୁ ଆକ୍ରମଣରେ ଗୋଡ଼ରେ ଆଘାତ ଲାଗିବା ସତ୍ତ୍ୱେ ମାଣ୍ଡଭି ନକ୍ସଲଙ୍କ ବିରୋଧରେ ଛିଡ଼ା ହୋଇଥିଲେ । ଏହାପରେ ତାଙ୍କୁ ଟେକମେତା ଅଣାଯାଇ ପ୍ରାଥମିକ ଉପଚାର କରାଯାଇଥିଲା । ପରେ ସେଠାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ବୁଧବାର ନାରାୟଣପୁର ଅଣାଯାଇଛି ।

Leave A Reply

Your email address will not be published.