ଭୋଟର ପରିଚୟ ପତ୍ର ନାହିଁ, ତଥାପି କରି ପାରିବେ ନିଜର ମତଦାନ! ଜାଣନ୍ତୁ କେମିତି…

ଆଜି ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏ ସମସ୍ତ ଜିଲ୍ଲାର ୫୫ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୫୮୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏଠାକାର ୨.୦୨ କୋଟି ଜନତା। ତେବେ ଆମ ଭିତରେ ଏମିତି ଅନେକ ଭୋଟର ଅଛନ୍ତି, ଯେଉଁମାନଙ୍କର ନାମ ଭୋଟର ତାଲିକାରେ ଅଛି, କିନ୍ତୁ ସେମାନଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ। ଏମିତି ସ୍ଥିତିରେ ଆପଣ କେମିତି ଭୋଟ୍ ଦେବେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। କିନ୍ତୁ ଆପଣଙ୍କୁ ଏଥିରେ ଭୟ କରିବାର କୌଣସି ଆବଶ୍ୟକ ନାହିଁ। ନିର୍ବାଚନ ଆୟୋଗ ଭୋଟର ପରିଚୟ ପତ୍ର ବିନା ବି ଭୋଟ୍ ଦେବାର ବିକଳ୍ପ ଦେଇଛନ୍ତି। ଆସନ୍ତୁ ଜାଣିବା କେମିତି?
କେଉଁମାନେ ଭୋଟ୍ ଦେଇ ପାରିବେ?
ଯେଉଁମାନଙ୍କର ନାମ ଭୋଟର ତାଲିକାରେ ଥିବ, ସେହିମାନେ ହିଁ ଭୋଟ୍ ଦେବାକୁ ସମର୍ଥ ହେବେ। ଅର୍ଥାତ୍ ଯଦି ଆପଣଙ୍କ ନାମ ଭୋଟର ତାଲିକାରେ ଅଛି, ତା’ ହେଲେ ଆପଣ ଭୋଟର ପରିଚୟ ପତ୍ର ବିନା ମଧ୍ୟ ଭୋଟ୍ ଦେଇ ପାରିବେ। ଯଦିଓ ଏଥିପାଇଁ ନିର୍ବାଚନ ଆୟୋଗଙ୍କ ତରଫରୁ ନିର୍ଦ୍ଧାରିତ ୧୧ ପ୍ରକାରର ଦସ୍ତାବିଜ୍ ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ପାଖରେ ଥିବା ଜରୁରୀ।
କେଉଁ କେଉଁ ଦସ୍ତାବିଜ୍ ଦେଖାଇବାକୁ ପଡ଼ିବ
୧. ପାସପୋର୍ଟ
୨. ଡ୍ରାଇଭିଂ ଲାଇସେନ୍ସ
୩. ଯଦି ଆପଣ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ କିମ୍ବା PSU ଏବଂ ପବ୍ଲିକ୍ ଲିମିଟେଡ୍ କମ୍ପାନୀରେ କାର୍ଯ୍ୟ କରୁଛନ୍ତି, ତେବେ କମ୍ପାନୀର ଫଟୋ ID ଆଧାରରେ ମଧ୍ୟ ମତଦାନ କରି ପାରିବେ।
୪. PAN କାର୍ଡ
୫. ଆଧାର କାର୍ଡ
୬. ପୋଷ୍ଟ ଅଫିସ୍ ଏବଂ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ପାସବୁକ୍
୭. ମନରେଗା ଜବ୍ କାର୍ଡ
୮. ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ
୯. ପେନସନ କାର୍ଡ, ଯେଉଁଥିରେ ଆପଣଙ୍କ ଫଟୋ ଲାଗିଥିବ ଏବଂ ତାହା ଆଟେଷ୍ଟେଡ୍ ହୋଇଥିବ
୧୦. ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର (NPR) ଦ୍ୱାରା ଜାରି ସ୍ମାର୍ଟ କାର୍ଡ
୧୧. MPs/MLAs/MLCs ଙ୍କ ତରଫରୁ ଜାରି ଅଫିସିଆଲ ପରିଚୟ ପତ୍ର