ପାକ୍ ପାଇଁ ମହଙ୍ଗା ପଡ଼ିଲା ତାଲିବାନ ସମର୍ଥନ: ଆଫଗାନ୍ ମାଟିରେ ଗୁଳିମାଡ଼ ପରେ ପାକିସ୍ତାନକୁ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ): ତାଲିବାନକୁ ସମର୍ଥନ କରିବା ଆଉ ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବାରେ ସହାୟତା କରିବା ପାକ ପାଇଁ ମହଙ୍ଗା ପଡିଲା । ଇମ୍ରାନଙ୍କ ତାଲିବାନ ପ୍ରୀତି ଏବେ ତାଙ୍କ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହୋଇଛି । ଆଫଗାନ୍ ମାଟିରେ ଗୁଳିମାଡ଼ ପରେ ପାକିସ୍ତାନକୁ ଚେତାବନୀ ଦେଇଛି ଇସଲାମିକ ଏମିରେଟ୍ସର ଟପ ମିଲିଟାରୀ କମାଣ୍ଡୋ ।ସାମରିକ କାର୍ଯ୍ୟକଳାପ ବନ୍ଦ କର । ନହେଲେ ପରିଣାମ ଭୋଗିବ ବୋଲି କୁହାଯାଇଛି । କୁନାର୍ ପ୍ରଦେଶରେ ପାକିସ୍ତାନ ମୋର୍ଟାର ମାଡ଼ ପରେ ଉଭୟ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପାକ ଆକ୍ରମଣର ଉଚିତ ଜବାବ ଦେବାକୁ ତାଲିବାନ ପ୍ରସ୍ତୁତ ବୋଲି କୁହାଯାଇଛି ।
ସୂଚନା ଅନୁସାରେ କୁନାର୍ ପ୍ରଦେଶର ସୀମାରେ ଏବେ ପାକ ସେନା ଓ ତାଲିବାନ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଶୁକ୍ରବାର ଅପରାହ୍ନରେ ଉଭୟ ପାର୍ଶ୍ୱରୁ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଜଣେ ତାଲିବାନ ସ୍ନାଇପର ସୀମାରେ ନିୟୋଜିତ ଦୁଇ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପାକ୍ ସୌନ୍ୟମାନେ ସୀମାରେ ଥିବା ତାଲିବାନର କିଛି ଗାଁ ଉପରେ ଗୁଳି ଚଳାଇଥିଲେ । ଜବାବରେ ତାଲିବାନ ପକ୍ଷରୁ ମଧ୍ୟ ଆଖିବୁଜା ଗୁଳିଚାଳନା କରାଯାଇଥିଲା ।