କଂଗ୍ରେସ ଅଧ୍ୟକ୍ଷ ପଦରେ ଶପଥ ନେଲେ ମଲ୍ଲିକାର୍ଜୁନ ଖଡ୍ଗେ; କହିଲେ, ‘ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ କ୍ଷଣ…’

ମଲ୍ଲିକାର୍ଜୁନ ଖଡ୍ଗେ ଏବଂ କଂଗ୍ରେସ ପାଇଁ ଆଜିର ଦିନ ହେଉଛି ଐତିହାସିକ ଦିନ। ଖଡ୍ଗେ ଆଜି ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଅଧ୍ୟକ୍ଷ ପଦର ଶପଥ ନେଇଛନ୍ତି। ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ବୁଧବାର ଔପଚାରିକ ଭାବେ ନିର୍ବାଚନ ପତ୍ର ହସ୍ତାନ୍ତର କରଯାଇଥିଲା। ଏଥି ସହିତ ସେ ପଦ ଭାର ଗ୍ରହଣ କରିଥିଲେ।
ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପ୍ରମୁଖ ମଧୁସୂଦନ ମିସ୍ତ୍ରି ଖଡ୍ଗେଙ୍କୁ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କଂଗ୍ରେସର ସଙ୍ଗଠନ ମହାସଚିବ କେ.ସି ଭେନୁଗୋପାଲ, କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ସଦସ୍ୟ ରାଜେଶ ମିଶ୍ର, ଅରବିନ୍ଦର ସିଂ ଲଭଲି ଓ ଜ୍ୟୋତି ମଣି ମଧ୍ୟ ମଞ୍ଚିରେ ଉପସ୍ଥିତ ଥିଲେ।
ସେମାନଙ୍କ ବ୍ୟତୀତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସ କାର୍ଯ୍ୟ ସମିତି ସଦସ୍ୟ, ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଏବଂ ଦଳର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏହି ସମୟରେ ମଲ୍ଲିକାର୍ଜୁନ ଖଡ୍ଗେ କହିଥିଲେ, ଆଜି ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ଆଜି ଜଣେ ସାଧାରଣ କର୍ମକର୍ତ୍ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛି ଏହି ସମ୍ମାନ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଏଥିପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି’।
ତେବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଖଡ୍ଗେ ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ, ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କହି ରଖୁଛୁ, ୮୦ ବର୍ଷୀୟ ଖଡ୍ଗେ ୧୭ ଅକ୍ଟୋବରରେ ହୋଇଥିବା ଐତିହାସିକ ନିର୍ବାଚନରେ ନିଜ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ମାତ୍ ଦେଇଥିଲେ। ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନ ହୋଇଥିଲା। ଏଥିରେ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ କୌଣସି ବ୍ୟକ୍ତି କଂଗ୍ରେସର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।