Below header

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ; କୋର୍ଟରେ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା

ମନୀଷ ସିସୋଦିଆଙ୍କୁ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀସ୍ଥିତ ରାଉଜ୍ ଏଭେନ୍ୟୁ କୋର୍ଟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ରାଉଜ୍‌ ଏଭେନ୍ୟୁ କୋର୍ଟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ମନୀଷ ସିସୋଦିଆଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ସିବିଆଇ କୋର୍ଟଙ୍କୁ କହିଛି ଯେ ମନୀଷ ସିସୋଦିଆ ତଦନ୍ତରେ ସହଯୋଗ କରୁନାହାନ୍ତି।

ସିବିଆଇର ଏହି ଆବେଦନକୁ ମନୀଷ ସିସୋଦିଆଙ୍କ ଓକିଲମାନେ ବିରୋଧ କରିଥିଲେ। ସେମାନଙ୍କ କହିବା ହେଲା, ସିବିଆଇର ଅଭିଯୋଗ ଭୁଲ। ଏହାପୂର୍ବରୁ ଆଜି ମନୀଷ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟିର କର୍ମୀମାନେ ସାରା ଦେଶରେ ବିରୋଧ କରିଥିଲେ। ରାଜଧାନୀ ଦିଲ୍ଲୀରେ ବହୁ ସଂଖ୍ୟାରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି। ଆପ୍‌ର କାର୍ଯ୍ୟକର୍ତ୍ତାମାନେ ନିଜ ପାର୍ଟି ଅଫିସ୍ ଏବଂ ସିବିଆଇ ଅଫିସ୍ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନାଥାଉ କି, ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ସିବିଆଇ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟ୍‌ଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତଦନ୍ତକାରୀ ସଂସ୍ଥା ଶେଷରେ ତାଙ୍କୁ ଗିରଫ କରିଥିଲା।

ସିବିଆଇ ଅଫିସ୍‌ ଯିବା ପୂର୍ବରୁ ସିସୋଦିଆ ନିଜ ମା’ଙ୍କ ଆଶୀର୍ବାଦ ନେଇଥିଲେ ଏବଂ ରାଜଘାଟ ପହଞ୍ଚିଥିଲେ। ଏଠାରେ ସିସୋଦିଆ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରିଥିଲେ। ଘରୁ ବାହାରିବା ସମୟରେ ସେ ହସି ହସି ବିଜୟର ସଙ୍କେତ ଦେଖାଇଥିଲେ। ସିବିଆଇ ସିସୋଦିଆଙ୍କୁ ପ୍ରଶ୍ନ ପଚାରିବା ପାଇଁ ପ୍ରଶ୍ନଗୁଡ଼ିକର ଏକ ଡିଟେଲ୍‌ ସେଟ୍‌ ପ୍ରସ୍ତୁତ କରିଥିଲା। ସିବିଆଇ ମୁଖ୍ୟାଳୟ ଆଖାପାଖରେ ପୋଲିସ ୧୪୪ ଧାରା ଲାଗୁ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.