ଗୋପାଳ ଦାସ ଓ ତାର ପରିବାର ଅସୁରକ୍ଷିତ ବୋଲି ଦର୍ଶାଇ ହାଇକୋର୍ଟରେ ଦାୟର ମାମଲା: ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ଗୋପାଳଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥାରେ ତାକୁ ରଖାଯାଉ। ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯିବା ଆବଶ୍ୟକ। ଏଥି ସହିତ ଗୋପଳର ପରିବାର ସବୁ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

କଟକ(କେନ୍ୟୁଜ୍): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ‌ଏଏସଆଇ ଗୋପାଳ ଦାସ ଓ ତାର ପରିବାର ଅସୁରକ୍ଷିତ ବୋଲି ଦର୍ଶାଇ ହାଇକୋର୍ଟରେ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ହାଇକୋର୍ଟ। ଗୋପାଳ ଦାସଙ୍କ ପରିବାର ଲୋକ ଅସୁରକ୍ଷିତ ଥିଲେ ସେମାନେ କୋର୍ଟଙ୍କୁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ଦ୍ୱାରା ହୋଇଥିବା ଏଭଳି ଆବେଦନରେ ପୂର୍ଣ୍ଣଛେଦ ଦେଇଛନ୍ତି। ଆବେଦନକାରୀ ଦର୍ଶାଇଥିଲେ ଯେ, ନବ ଦାସ ଜଣେ ଲୋକପ୍ରିୟ ନେତା ଥିଲେ। ସର୍ବାଧାରଣରେ ତାଙ୍କର ହତ୍ୟା ଏକ ଗୁରୁତର ଘଟଣା ହୋଇଥିବା ବେଳେ ଅଭିଯୁକ୍ତ ଗୋପାଳ ପୁଲିସ ବିଭାଗ ଦ୍ବାରା ଅତୀତରେ ପୁରସ୍କୃତ ହୋଇଥିଲେ।

ଗୋପାଳର କୌଣସି ଅପରାଧିକ ରେକର୍ଡ ନାହିଁ। ତାଙ୍କର କୌଣସି ରାଜନୈତିକ ସଂପର୍କ ନଥିଲା। କିନ୍ତୁ ଏହି ଘଟଣାରେ ଗିରଫ ହେବା ପରେ ଗୋପଳକୁ ତଦନ୍ତକାରୀ ଏଜେନ୍ସି ଓ ରାଜନୈତିକ ଦଳ ନିର୍ଯାତନା ଦେଉଛନ୍ତି। ଗୋପାଳଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥାରେ ତାକୁ ରଖାଯାଉ। ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯିବା ଆବଶ୍ୟକ। ଏଥି ସହିତ ଗୋପଳର ପରିବାର ସବୁ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ପୁଲିସ ଡିଜି‌, ଚୌଦ୍ବାର ଜେଲ ଅଧୀକ୍ଷକ, ଜେଲ ଆଇଜି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.